ପଟଚିତ୍ରରେ ଦେଶପ୍ରେମ

0

ସିଲ୍କ କପଡ଼ା ଏବଂ ତୂଳୀରେ ଦେଶଭକ୍ତି। ବିନ୍ଧ୍ୟ ହିମାଚଳ, ଯମୁନା ଗଙ୍ଗାରୁ ଉତ୍କଳର ଗୌରବ ଗାଥା- ଇତିହାସର ପ୍ରତ୍ୟେକ ଘଟଣାବଳୀକୁ ନିଖୁଣଭାବେ ପଟ୍ଟଚିତ୍ର ମାଧ୍ୟମରେ ଅବତାରଣା କରିଛନ୍ତି ଯୁବଶିଳ୍ପୀ। କାନଭାସ୍‍ ଉପରେ ଉଦ୍‍ଭାସିତ ହୋଇଛି ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଇଂରେଜମାନଙ୍କ ଭାରତମାତା ଉପରେ ନିର୍ଯାତନା। ଶତାବ୍ଦୀ ଶତାବ୍ଦୀର ବାସ୍ତବ ତଥ୍ୟଗୁଡ଼ିକୁ ରଙ୍ଗତୂଳୀର ଯାଦୁରେ ସଜେଇ ରଖିଛନ୍ତି ପୁରୁଣାଭୁବନେଶ୍ୱର ଅଞ୍ଚଳରେ ରହୁଥିବା ସୁଶୀଲ କୁମାର ରାଉତ। ଏଥିରେ ରହିଛି ଶିଳ୍ପୀଙ୍କ ନିଜ ମାଟି ଓ ମା’ ପ୍ରତି ଥିବା ଅନାବିଳ ପ୍ରେମର ନିଦର୍ଶନ।
ଗର୍ବ ଓ ଶ୍ରଦ୍ଧାର ସେହି ଭାବନାକୁ ନେଇ ଆଠଟି ଆଠ ଫୁଟ ଲମ୍ବ ଓ ୪ଫୁଟ ଓସାର ବିଶାଳ ପଟ୍ଟଚିତ୍ର ପ୍ରସ୍ତୁତି କରିଛନ୍ତି ସେ। ସୁଶୀଲ ଏହି ପଟ୍ଟଚିତ୍ର କାରୁକାର୍ଯ୍ୟକୁ ଶିଖିବାକୁ କାହାଠାରୁ ପ୍ରଶିକ୍ଷଣ ନେଇନାହାନ୍ତି। ପିଲାବେଳୁ ଥିବା ତାଙ୍କ ଆଗ୍ରହ ଓ ଭାରତମାତା ପ୍ରତି ଥିବା ଅଶେଷ ଭଲ ପାଇବା ତାଙ୍କୁ ଏଠାରେ ପହଞ୍ଚାଇ ଦେଇଛି।
୨୫୦୦ ପୃଷ୍ଠାର ଭାରତମାତା
ଏକ ବାକ୍ସ ଭିତରେ ଭାରତର ଗୌରବ ଗାଥାକୁ ନେଇ ଶିଳ୍ପୀ ୨୫୦୦ ପୃଷ୍ଠାର ବିଶାଳ ଚିତ୍ର ପୁସ୍ତକ ପ୍ରସ୍ତୁତ କରିଛନ୍ତି। ପୁସ୍ତକଟିକୁ ଘେରି ହୋଇ ରହିଛି ଲୁହା ଚେନ୍‍ ଏବଂ ପଡ଼ିଛି ସଂଖ୍ୟାଧିକ ଚାବି। ପୁସ୍ତକର ନାଁ ଦେଇଛନ୍ତି ‘ଇଣ୍ଡିଆନ୍‍ ବ୍ଲଡ୍‍ ବୁକ୍‍ ଅଫ୍‍ ଫିଲୋସଫି’। ସୁଶୀଲଙ୍କୁ ଏହି ଦୁଇଟି କଳାକୃତିକୁ ଶେଷ କରିବାକୁ ୧୮ବର୍ଷ ଲାଗିଛି। ୨୫୦୦ ହଜାର ପୃଷ୍ଠାର ବହିର ପ୍ରତି ପୃଷ୍ଠାରେ ସୁଶୀଲ ତାଙ୍କ ତୂଳୀ, ପେନ୍‍ ଓ ପେନ୍‍ସିଲ ଆଙ୍କିଛନ୍ତି ଦେଶପ୍ରେମର ଛବି। ପିଲାଦିନର ସ୍ୱପ୍ନକୁ ସାକାର କରିବାରେ ଏବେ ଉଦ୍ୟମ ଜାରି ରଖିଛନ୍ତି। ରଙ୍ଗ ତୂଳୀରୁ ଆରମ୍ଭ ହୁଏ ତାଙ୍କ ସକାଳ, କାନ୍‍ଭାସ୍‍ ଉପରେ ସୂର୍ଯ୍ୟାସ୍ତ। ଏହି ବହିଟି ତାଙ୍କ ଦେଶପ୍ରେମର ପ୍ରତିଫଳନ। ପିଲାବେଳୁ ହିଁ ଥିଲା ତାଙ୍କ ସ୍ୱପ୍ନ ବୋଲି ସେ କହନ୍ତି।
ଆଇ ଲଭ୍‍ ମାଇଁ ଇଣ୍ଡିଆ
ନା ସୁଶୀଲଙ୍କ ଚିତ୍ରକୁ ନେଇ ହୋଇଛି ପ୍ରର୍ଦଶନୀ, ନା କେବେ ସେ ଚିତ୍ର ବିକ୍ରି କରିବାକୁ ଭାବିଛନ୍ତି। ତାଙ୍କର ଇଚ୍ଛା ୨୫୦୦ ପୃଷ୍ଠା ବିଶିଷ୍ଟ ବହିକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ। ଭାରତମାତା ଓ ପୃଥିବୀ ଉପରେ ଆଠଟି ପଟ୍ଟଚିତ୍ରରୁ ଗୋଟିଏ ପଟ୍ଟଚିତ୍ର ‘ଆଇ ଲଭ୍‍ ମାଇଁ ଇଣ୍ଡିଆ’ ରାଷ୍ଟ୍ରପତିଙ୍କୁ, ‘ମାତୃଭୂମି’ ପଟ୍ଟଚିତ୍ରକୁ ମୁଖ୍ୟମନ୍ତ୍ରୀ ଏବଂ ‘ଆଇ ଲଭ୍‍ ମାଇଁ ଇଣ୍ଡିଆ’ ପଟ୍ଟଚିତ୍ରକୁ ଯବାନ ଭାଇଙ୍କୁ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିପରି ‘ଆଇ ଲଭ୍‍ ଆମେରିକା’ ଲେଖା ଥିବା ପଟ୍ଟଚିତ୍ରକୁ ଆମେରିକାର ରାଷ୍ଟ୍ରପତି ଏବଂ ‘ସେଭ୍‍ ଦ ୱାର୍ଲ୍ଡ’କୁ ଜାତିସଂଘକୁ ଦେବାକୁ ସୁଶୀଲ ଚାହୁଛନ୍ତି। ଗିନ୍‍ଜ୍‍ ବୁକ୍‍ ଓ ଲିମ୍‍କା ବୁକ୍‍ରେ ସେ ସ୍ଥାନ ପାଇବେ ବୋଲି ଆଶା ରଖିଛନ୍ତି। ସୁଶୀଲ ମଧ୍ୟ ଆଉ ଗୋଟିଏ ପଟ୍ଟଚିତ୍ର କରିବାକୁ ଚାହୁଁଛନ୍ତି। ଏହାକୁ ଆଙ୍କିବା ପାଇଁ ପ୍ରାୟ ଚାରି ବର୍ଷ ଲାଗିବ, ସେଥିପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ଦେଖାଯାଇଛି। ଯଦି ସରକାରୀସ୍ତରରେ ପ୍ରୋତ୍ସାହନ ମିଳେ ତାହେଲେ ଓଡ଼ିଶାର ଗର୍ବ ଗୌରବକୁ ପଟ୍ଟଚିତ୍ରର ରୂପ ଦେଇ ଦେଶ ବିଦେଶରେ ନାଁ ଅର୍ଜନ କରିପାରିବେ ବୋଲି ସୁଶୀଲ ଆଶା ପ୍ରକାଶ କରିଛନ୍ତି।
ଚିତ୍ରରେ ପରିବେଶ ସୁରକ୍ଷା: ପଟ୍ଟଚିତ୍ର ମାଧ୍ୟରେ ଜୈବ ବିବିଧତା ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଶିଳ୍ପୀ। ପ୍ରକୃତି ନିଜର ମା’। ଗଛ କାଟିବା ଏବଂ ଜୈବ ବିବିଧତା ନଷ୍ଟ କଲେ କ’ଣ ପ୍ରଭାବ ପଡୁଛି ମଣିଷ ଉପରେ ତାହାକୁ ନେଇ ନିଖୁଣଭାବେ ଛବିରେ ରୂପାନ୍ତରିତ କରିଛନ୍ତି। ସବୁଜ ବନାନୀରେ ଚଳଚଞ୍ଚଳ ମୃଗୁଣୀ ଶାବକଙ୍କୁ ନେଇ ଖେଳୁଛି। ହାତୀ ଝରଣାରୁ ପାଣି ପିଉଛି। ବର୍ଷାରେ ସମୃଦ୍ଧ ଶସ୍ୟକ୍ଷେତ୍ରରେ କୃଷକର ଜମି କର୍ଷଣ ଭଳି ଅନେକ ଚିତ୍ରକୁ ସେ ଉଜ୍ଜୀବିତ କରିଛନ୍ତି ରଙ୍ଗ ତୂଳୀର ସ୍ପର୍ଶରେ।
ଟସର ଶାଢ଼ିରେ ପଟ୍ଟଚିତ୍ର:
ଏତିକିରେ ସୀମିତ ନାହାନ୍ତି ସୁଶୀଲ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମଝିରେ ମଝିରେ ଟସର ଶାଢ଼ି ଆଣି ତା’ ଉପରେ ପଟ୍ଟଚିତ୍ର ଆଙ୍କି ବଜାରକୁ ଛାଡ଼ୁଛନ୍ତି। ଯାହାର ଦାମ୍‍ ୩୦୦୦ରୁ ଆରମ୍ଭ କରି ୧୦୦୦୦ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ।

Leave A Reply