ମଧୁର ଜଳରୁ ହ୍ରାସ ପାଉଛି ମାଛ ଉତ୍ପାଦନ

ପାତ୍ରପୁର: ବହୁ ବର୍ଷଧରି ପାତ୍ରପୁର ଅଞ୍ଚଳରେ ମାଛ ଧରି ଜୀବିକା ନିର୍ଭହ କରି ଚଳୁଥିବା କୈବର୍ତ୍ତ ସମାଜ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଗତକିଛି ବର୍ଷ ହେଲା ମଧୁର ଜଳରୁ ମାଛ ପୂର୍ବ ଭଳି ନ ମିଳିବା ଫଳରେ ଏହି ବର୍ଗର ଲୋକମାନେ ଅନ୍ୟ ବ୍ୟବସାୟ ଆରମ୍ଭ କରିବା ସହ କିଛିଲୋକ ଦାଦନ ମୁହାଁ ହେଉଥିବା ଲକ୍ଷ୍ୟ କରାଯାଇଛି। ପାତ୍ରପୁର ବ୍ଲକର ବିନୁଆଗାଁ, ତଣ୍ଡିପୁର, ସୁରଙ୍ଗୀ, ପାତ୍ରପୁର, ଖରାଣୀପଡା, ତୁରୁବୁଡି ପ୍ରଭୁତି ପଞ୍ଚାୟତରେ ରଜା ରାଜୁଡ଼ା କୈବର୍ତ୍ତ ସମାଜର ବହୁ ପରିବାର ବସବାସ କରୁଛନ୍ତି। ରାତି ପହିଲେ ଏହି ବର୍ଗର ଲୋକମାନେ ମଧୁର ଜଳରୁ ବିଭିନ୍ନ କିସମର ମାଛ ଧରି ବିକ୍ରି କରିବା ସହ ପରିବାର ପ୍ରତିପୋଷଣ କରୁଥିଲେ। ବିଶେଷ କରି ନଦୀ ନାଳ ଗଣ୍ଡ ମାନଙ୍କରୁ ବର୍ଷ ତମାମ ମାଛ ଜାଲ ପକାଇ ଧରୁଥିଲେ।ମାଛ ଧରି ଆଣିବା ପରେ ନିଜେ କିମ୍ବା ପରିବାରର ମହିଳା ମାନେ ଏହି ମାଛକୁ ବିଭିନ୍ନ ଗ୍ରାମକୁ ନେଇ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ସୁଖ ଦୁଃଖ ରେ ଚଳି ଯାଉଥିଲେ। ତେବେ ଗତ କିଛିବର୍ଷ ହେଲା ନଦୀ ନାଳ ଗଣ୍ଡରୁ ପୂର୍ବ ଭଳି ମାଛ ମିଳୁନାହିଁ।  ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ବାହୁଦା, ବଗି, ପୋଇ ଚାନ୍ଦିଆ, ମହେନ୍ଦ୍ର ତନୟା ନଦୀ ସହ ବିଭିନ୍ନ ନାଳ ରହିଥିବା ବେଳେ ଗ୍ରୀଷ୍ମ ଋତୁରେ ବାହୁଦାକୁ ଛାଡି ଦେଲେ ଅନ୍ୟ କେଉଁ ନଦୀ ନାଳରେ ପାଣି ରହୁନାହିଁ। ପୂର୍ବରୁ ବର୍ଷାଋତୁରେ ଅଧିକା ବର୍ଷା ହେବା ସହ ନଦୀ ନାଳରେ ଗଣ୍ଡ ସୃଷ୍ଟି ହୋଇ ବର୍ଷ ତମାମ ପାଣି ରହୁଥିଲା। ସ୍ଥାନୀୟ ଅଞ୍ଚଳର ନୂଆଗଡ ଠାରୁ ବଡବରଙ୍ଗା, ବି ନୂଆଗାଁ ବାହୁଦା ନଦୀରେ ଗଣ୍ଡ ମାନ ରହିଥିଲା। ବଡ ବରଙ୍ଗ ଓ ଗେଲେଇ ଗଣ୍ଡରେ ବହୁତ ପାଣି ରହୁଥିଲା।ଏହିସବୁ ଗଣ୍ଡରେ ନଦୀରେ ପାଣି ଶୁଖିଗଲେ ସୁଦ୍ଧା ପାଣିରହିବା ଯୋଗୁଁ ବର୍ଷ ତମାମ ମାଛ ମିଳୁଥିଲା। ଏବେ କୋଡିଏ ବର୍ଷ ପୂର୍ବେ ବହୁଦା ନଦୀ ଉପର ମୁଣ୍ଡରେ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ପର ଠାରୁ ପୂର୍ବ ଭଳି ବନ୍ୟା ଜଳ ଆସୁନାହିଁ। ବନ୍ୟା ଜଳ ନଆସିବା ଫଳରେ ଗଣ୍ଡ ସୃଷ୍ଟି ହେଉ ନାହିଁ। ଏପରିକି ଜଳଭଣ୍ଡାରରେ ମାଛ ଚାଷ ହେଉଥିବା ବେଳେ ନିର୍ଦ୍ଧାରିତ ଉପଭୋକ୍ତା ସୁଫଳ ପାଇ ପାରୁନାହାନ୍ତି। ନଦୀରୁ ପୂର୍ବରୁ କଣ୍ଟିଆ, ଗଡ଼ିଶ, ଫଳି, ମଗୁର, ସେଉଳ, ବାଉଁସପାତି, ବୋରିଆ, ଚିଙ୍ଗୁଡ଼ି, ପ୍ରଭୁତି କିସମର ମାଛ ମିଳୁ ଥିଲା। ତେବେ ଗତ କିଛିବର୍ଷ ହେଲା ଜମିରେ ସାର ବ୍ୟବହାର କରିବା ପରେ ଜମିରୁ ପାଣି ଆସି ନଦୀ ନାଳରେ ମିଶିବା ଫଳରେ ମାଛ କମିବାର କାରଣ ବୋଲି ମତ୍ସ୍ୟ ଜୀବିମାନେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ପୋଖରୀ, ସାଗର ମାନଙ୍କରେ ମାଛ ଚାଷ ହେଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ କିସମର ମାଛ ମିଳୁଛି। ଏପରିକି ପୋଖରୀ ଗୁଡିକ ମହିଳା ଗ୍ରୁପ ଏବଂ ଅନ୍ୟ ବଡ ବଡ଼ିଆ ଙ୍କ ତତ୍ତ୍ବାବଧାନରେ ରହୁଛି।

ଫଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଏହି ସମ୍ପ୍ରଦାୟର ରଲୋକମାନେ ସମୁଦ୍ରରୁ ଏବଂ ଅନ୍ଧ୍ରରୁ ମାଛ ଧରୁଥିବା ଲୋକଙ୍କ ପକ୍ଷରୁ ମାଛ କିଣି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ମଧୁର ଜଳରୁ ମାଛ ଉତ୍ପାଦନ ହ୍ରାସ ଦେଖି ଅଞ୍ଚଳରୁ ବହୁ ବ୍ୟକ୍ତି ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଏବେ ପାତ୍ରପୁର ବ୍ଲକ ଅଧ୍ୟକ୍ଷ ଭାବେ ଏହି ବର୍ଗର ଜଣେ ମହିଳା ଅଧ୍ୟକ୍ଷ ଅଛନ୍ତି। ନିଜ ଜାତିର ଲୋକଙ୍କ ପାଇଁ କିଭଳି ଉନ୍ନତ ମାନର ମାଛ ଚାଷ ହୋଇ ପାରିବ ଏବଂ ଏଥିରେ ଏହି କୈବର୍ତ୍ତ ପରିବାର ପ୍ରତିପୋଷଣ କରିପାରିବେ ସେଥିପାଇଁ ଏକ ଯୋଜନା ଆରମ୍ଭ କରିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ମାଛ ଆଦାୟ କମିବା ପରେ କିଛି ଯୁବକ ଦାଦନ ମୁହାଁ ହେଉଥିବା ବେଳେ ଏହି କାର୍ଯ୍ୟ ରେ ସହାୟତା କରୁଥିବା ବ୍ୟକ୍ତି ମାନେ ଅାନ୍ଧ୍ର ରୁହଲଦୀ କିଣି ଆଣି ତାକୁ ରଙ୍ଗ ଦେଇ ସୁଖେଇବା ପରେ ବିକ୍ରି କରୁଛନ୍ତି। ତେବେ ନଦୀର ମଧୁର ଜଳରୁ ମାଛ କାମୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମାଛ ଚାଷ ଉପରେ ନିର୍ଭର କରୁଥିବା ପରିବାର ପାଇଁ ଏକ ସୁଚିନ୍ତିତ ବ୍ୟବସ୍ଥା ଗ୍ରହଣ କରାଗଲେ ପୂର୍ବ ଭଳି ନିଜ ବେଉସା ବଞ୍ଚି ପାରିବ।

Comments are closed.