ପରିବାର କଲ୍ୟାଣ ଅସ୍ତ୍ରୋପଚାର ପରେ ଦୋଳରେ ବୁହାହୋଇ ନଦୀ ପାର ହେଲେ ମହିଳା

ପାତ୍ରପୁର : ପାତ୍ରପୁର ବ୍ଳକ ଦୁର୍ଗମ ଅଞ୍ଚଳର ଜଣେ ମହିଳା ପରିବାରକଲ୍ୟାଣ ଅସ୍ତ୍ରୋପଚାର କରିବା ପରେ ଦୋଳରେ ନଦୀ ପାର ହୋଇ ଯାଇଥିବା ଜଣା ଯାଇଛି। ମହିଳାଜଣଙ୍କ ହେଉଛନ୍ତି ବୁରାତାଲ ପାଞ୍ଚୟତ ଗୁଡିପଦର ଗ୍ରାମର ଗୋବିନ୍ଦ ଶବରଙ୍କ ପତ୍ନୀ ସଞ୍ଜୁ ଶବର ବୋଲି ଜଣା ପଡ଼ିଛି । ଆଜି ସଞ୍ଜୁକୁ ଦୁଇଟି ନଦୀ ପାରହୋଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଅସ୍ତ୍ରୋପଚାର କରାଯାଇ ଥିଲା। ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ପଠା ଯାଇଥିଲା। ତେବେ ତୁମ୍ବା ବାହୁକ ସାହି ନିକଟରେ ଥିବା ମହେନ୍ଦ୍ର ତନୟ। ନଦୀରେ ଆମ୍ବୁଲାନ୍ସ ଯାଇ ପାରି ନଥିଲା। ଏହା ପରେ ତାଙ୍କ ସଂପର୍କୀୟ ମନେ ଏକ ଦୋଳ ସାହାଯ୍ୟରେ ନଦୀପାର କରି ସଞ୍ଜୁଙ୍କ ବାପ ଘର କହ୍ନେଇମାଳ ଗ୍ରାମକୁ ପ୍ରାୟ ପାଞ୍ଚ କିଲୋମିଟର ବୋହି ନେଇ ଥିଲେ। ଗୁଡିପଦର ଗ୍ରାମଟି ଆନ୍ଧ୍ରପ୍ରଦେଶ ସୀମାନ୍ତ  ଜଙ୍ଗଲ ଘେରା ମଧରେ ରହିଛି । ଏହି ଗ୍ରାମକୁ ଆନ୍ଧ୍ରପ୍ରଦେଶ ପଥରେ ଦୁଇଟି ନଦୀ ପାର ହୋଇ ଯିବାକୁ ପଡୁଛି। ଓଡ଼ିଶା  ପଟରେ ରାସ୍ତା ଟିଏ ନଥିବାରୁ ବିଭିନ୍ନ ସମୟରେ ରୋଗୀ ଏବଂ ସାଧାରଣ ଲୋକମାନେ ପଥ କଷ୍ଟ ଭୋଗୁଛନ୍ତି । ଏଣୁ ପ୍ରଶାସନ ଏହି ଅଞ୍ଚଳକୁ ରାସ୍ତା ନିର୍ମାଣ କଲେ ଲୋକଙ୍କ ଦୁଃଖ ଦୂର ହୋଇ ପାରିବ।

 

Comments are closed.