ପାର୍ବଣରେ ବିପର୍ଯ୍ୟସ୍ତ ପରିମଳ, ପର୍ଯ୍ୟଟକ ଅସନ୍ତୋଷ

ପାତ୍ରପୁର: ପାର୍ବଣ ବେଳେ ପାତ୍ରପୁର ବ୍ଳକ ଅଞ୍ଚଳକୁ ରାଜ୍ୟତଥା ରାଜ୍ୟବାହାରୁ ବହୁ ଲୋକ ଦେବୀ ପୀଠରେ ପୂଜାର୍ଚ୍ଚନା ସହିତ ବାଘଲଟି ଜଳଭଣ୍ଡାର ବୁଲି ଦେଖିବାକୁ ଆସି ଥାଆନ୍ତି। ତେବେ ଏହି ବ୍ଳକର ଅଧ୍ୟକ୍ଷଙ୍କ ଗ୍ରାମ ଠାରୁ କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ରାସ୍ତା କଡରେ ମଳତ୍ୟାଗ ଯୋଗୁଁ ନାକ ଟେକିବା ସାର ହୋଇଛି। ପାର୍ବଣଋତୁରେ ଗାନ୍ଧି ଜୟନ୍ତୀରେ ପରିମଳ ସଚେତନତା ପଲିଥିନ ବର୍ଜନ ଏବଂ ପରବର୍ତ୍ତୀ ସମୟରେ ଜଳ ପରିମଳ ଉପରେ ସଚେତନତା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ପୂର୍ବରୁ ଏହି ବ୍ଳକରେ ବାହ୍ୟ ମଳତ୍ୟାଗ ରୋକିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ନେଇଛନ୍ତି। ପ୍ରତି ଘରେ ପାଇଖାନା ନିର୍ମାଣ ସହିତ ସଚେତନ କରି ବାହାରେ ମଳତ୍ୟାଗ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି।

ଯେଉଁ ଗ୍ରାମ ରାସ୍ତା କଡରେ ମଳତ୍ୟାଗ ହେଉଛି ସେହି ସ୍ଥାନରେ ପ୍ରଶାସନ ତରଫରୁ ଭୋର ସମୟରେ ପହଞ୍ଚି ମଳତ୍ୟାଗ କରୁଥିବା ଲୋକଙ୍କୁ ଗୋଲାପ ଫୁଲ ଦେବା ସହ ଗ୍ରାମରେ ସଚେତନତା ପାଇଁ ସଭା ମାନ ଅନୁଷ୍ଠିତ ହୋଇଥିଲା। ଏପରିକି ମଳତ୍ୟାଗ କରୁଥିବା ରାସ୍ତା କଡରେ ତୁଳସୀ ଗଛ ରୋପଣ କରାଯାଇଥିଲା। ଗ୍ରାମଗୁଡିକ ସ୍ୱଚ୍ଛ ରଖିବା ପାଇଁ ଗ୍ରାମ ଏହି ବ୍ଳକରେ ୧୮୯ ଗ୍ରାମ କଲ୍ୟାଣ ସମିତି ଗଠନ କରି ଶତାଧିକ ସମିତିକୁ ଅର୍ଥ ରାଶି ପ୍ରଦାନ କରାଯାଇଛି। ଏବେ ପରିମଳ ପାଇଁ ପ୍ରତି ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଛି। ତେବେ କେତେକ ଗ୍ରାମରେ ତିତଲି ପରେ ପାଇଖାନା ଘର ଭାଙ୍ଗି ପଡିଛି। ଏପରିକି କୋଡ଼ିଏ ବର୍ଷ ତଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପାହାଡିଆ ଗ୍ରାମରେ ନିର୍ମାଣ ହୋଇଥିବା ପାଇଖାନା ମଧ୍ୟ ବହୁ ଗ୍ରାମରେ ଭାଙ୍ଗି ରହିଛି।

କେତେକ ଗ୍ରାମରେ ପାଇଖାନା ନିର୍ମାଣପରେ ଲୋକଙ୍କୁ ଠିକ ଭାବେ ଅର୍ଥ ମିଳିନଥିବା ଅଭିଯୋଗ ହେଉଛି। ଏବେ ପାର୍ବଣ ଏବଂ ଅନ୍ୟ ସମୟରେ ନିୟମିତ ଯାତ୍ରୀ ଅଂଚଳର ବିଭିନ୍ନ ପୀଠକୁ ଆସୁଛନ୍ତି। ଅଂଚଳର ବିଭିନ୍ନ ପୀଠକୁ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ତେବେ ମୁଖ୍ୟରାସ୍ତାର କେତେକ ଗ୍ରାମରେ ସକାଳୁ ରାତ୍ରୀ ଯାଏ ମଳତ୍ୟାଗ କରିବା ଯୋଗୁଁ ରାସ୍ତାରେ ଯିବା ବେଳେ ଦୁର୍ଗନ୍ଧ ଯୋଗୁଁ ପଥଚାରି ନାକ ଟେକୁଛନ୍ତି। କେରୋନା ଯୋଗୁଁ ଲୋକମାନେ ମାକ୍ସ ପରିଧାନ ପାଇଁ ସରକାର ପରାମର୍ଶ ଦେଇଛନ୍ତି।ତେବେ ମାକ୍ସ ପରିଧାନ କାର୍ଯରେ ମୁଖ୍ୟ ଭବେ କାର୍ଯ୍ୟ ନିର୍ବ।ହ କରୁଥିବା ଅଧିକାରୀଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତା ବହୁ ମାତ୍ରାରେ ଏହା ପାଳନ କରୁନଥିବା ଅଭିଯୋଗ ହେଉଛି। ବ୍ଳକ ଅଧ୍ୟକ୍ଷଙ୍କ ଗ୍ରାମ ଠାରୁ ବ୍ଳକର କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ କୁଢ଼ କୁଢ଼ ଆବର୍ଜନା ସହିତ ମଳତ୍ୟାଗ ପରିବେଶ ଦୂଷିତ କରୁଛି। ଏପରିକି ପଲିଥିନର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି।

ଏହି ବ୍ଳକର ଗୋଟିଏ ଗ୍ରାମ କଣ୍ଟା ଖାଳି ରେ ରାସ୍ତା କଡରେ ମଳତ୍ୟାଗକୁ ଦେଖି ଗ୍ରାମର ଲୋକମାନେ ମଳତ୍ୟାଗ କରୁ ଥିବା ସ୍ଥାନରେ ବ।ନା ପୋତିବା ପରେ ମଳତ୍ୟାଗ ବନ୍ଦ ରହିଥିଲା ଏବେ ପୁଣି କିଛି ବର୍ଷର ବ୍ୟବଧାନ ପରେ ଏହି ସ୍ଥାନରେ ମଳତ୍ୟାଗ ଆରମ୍ଭ ହୋଇଛି। ବ୍ଳକର ଗୋଟିଏ ଗ୍ରାମ ପୋଲରାଜ ପୁରକୁ ବାହ୍ୟ ମଳ ମୁକ୍ତ ଘୋଷଣା କରିଥିଲେ। ତେବେ ପ୍ରତିବର୍ଷ ଗାନ୍ଧୀ ଜୟନ୍ତି ସହିତ ଜଳ ପରିମଳ ଦିବସ ପାଳନକରି ଅର୍ଥ ଖର୍ଚ୍ଚ କରି ସଚେତନତା ସୃଷ୍ଟି କରିବା କେବଳ କାଗଜ କଲମରେ ସୀମିତ ରହୁଛି। ପ୍ରତି ଗ୍ରାମର ଲୋକଙ୍କ ପାଖରେ ପାଣି ଯୋଗଣର ସୁବିଧା ଉପଲବ୍ଧ ହୋଇ ପାରିନାହିଁ। ଏବେ ବାଘଲଟି ଜଳଭଣ୍ଡାର ୧୨୨କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ନିର୍ମାଣ କରି ତିନିଗୋଟି ବ୍ଳକ ପାତ୍ରପୁର, ଦିଗପହଣ୍ଡି ଏବଂ ଚିକିଟିର ଷୋହଳ ଗୋଟି ପଂଚାୟତରେ ପାନୀୟ ଜଳଯୋଗାଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ କେତେକ ପଂଚାୟତରେ ବିଭିନ୍ନ ଗ୍ରାମରେ ଥିବା ବହୁ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ବର୍ଷଧରି ଅଚଳ ରହିଥିବା ବେଳେ ଏବେ ପାଣି ମିଳିବାକୁ ଥିବା ଗ୍ରାମମାନଙ୍କରେ ନୂତନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ସବୁ ଗ୍ରାମରେ ଘରକୁ ପାଣି ମିଳିବା ସୁବିଧା ହେଲେ ଲୋକମାନେ ପାଇଖାନା ବ୍ୟବହାର କରିବା ପାଇଁ ଦୃଷ୍ଟି ଦେଲେ ବାହ୍ୟ ମଳତ୍ୟାଗ ରୋକାଯାଇ ପରିବା ଆଶା କରାଯାଉଛି।

Comments are closed.