ସୀମା ସରହଦ ପରଖିଲା ପ୍ରଶାସନ, ବନ୍ଦ ହେବ କି ଲୋକଙ୍କ ଆନ୍ଧ୍ର ଗମନ?

ପାତ୍ରପୁର: ଗଞ୍ଜାମଜିଲ୍ଲା ଆନ୍ଧ୍ର ସୀମାନ୍ତରେ ପାତ୍ରପୁର ତହସିଲ ର ବହୁ ଗ୍ରାମ ରହିଛି। ବିଗତ କିଛି ବର୍ଷ ହେଲା ଆନ୍ଧ୍ରପ୍ରଦେଶ ସରକାର ଚାରି ଆଦିବାସୀ ଗ୍ରାମରେ ଲୋକଙ୍କ ସରଳତାର ସୁଯୋଗନେଇ ଲୋକଙ୍କୁ ବିଭିନ୍ନ ସୁବିଧା ଦେଇ ଆନ୍ଧ୍ରମୁହାଁ କରିବାର ଅହରହ ଉଦ୍ୟମ ଚଳାଇଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆଗୁଆ ସମାଜରେ ଖବର ପ୍ରକାଶ ପାଇଛି। ଛଅ ମାସ ପୂର୍ବେ ଆନ୍ଧ୍ର ମଣ୍ଡଳ ଏବଂ ସମିତି ନିର୍ବାଚନ ବେଳେ ଓଡ଼ିଶାର ଛଅ ଗୋଟି ଗ୍ରାମର ଲୋକମାନେ ଓଡ଼ିଶା ପ୍ରଶାସନ ବ୍ୟାପକ ଚେଷ୍ଟା ସତ୍ୱେ ମତ ଅଧିକାର ସାବ୍ୟସ୍ତ କରିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସରକାରଙ୍କ ତରଫରୁ ଏହି ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ଖସଡ଼ା ପ୍ରସ୍ତୁତ ହୋଇଥିଲା।

ଏବେ ପ୍ରଶାସନ ତରଫରୁ ପାତ୍ରପୁର ତହସିଲର ଓଡ଼ିଶା ସୀମା ସରହଦ ଚିହ୍ନଟ କାର୍ଯ୍ୟ କରାଯାଇଛି। ପ୍ରଥମ ଥର ପାଇଁ ସ୍ୱାଧୀନତା ପରେ ମାଡ୍ରାସ ପ୍ରେସିଡେନ୍ସି ଅମଳରେ ୧୯୫୧ସାଲରେ ଏହି (ସୀମା) ସରହଦ ଚିହ୍ନଟ କରାଯିବା ସହିତ ବିଭିନ୍ନ ସ୍ଥାନରେ ପଥର ପୋତା ଯାଇଥିଲା। ଏହାର ପଚାଶ ବର୍ଷ ପରେ ୨୦୦୦ସାଲ ବେଳକୁ ପୁଣି ଓଡ଼ିଶା ସରକାରଙ୍କ ତରଫରୁ ବନ୍ଦୋବସ୍ତ (ସେଟେଲମେଣ୍ଟ) କରାଯାଇ ସମସ୍ତ ପ୍ରକ୍ରିୟା ହୋଇ ଥିଲା। ତେବେ ସୀମାନ୍ତ ଇଲାକାର ସରହଦ ନିୟମିତ ବ୍ୟବଧାନରେ ପରଖି ସରକାରଙ୍କୁ ରିପୋର୍ଟ ପ୍ରଦାନ ବ୍ୟବସ୍ଥା କରାଯାଉଥିଲା। ତେବେ କେରୋନା ଯୋଗୁଁ ଏହି କାର୍ଯ୍ୟ ଅଟକି ଥିବା ବେଳେ ଚାରି ବର୍ଷ ପରେ ପୁଣି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ପାତ୍ରପୁର ତହସିଲର ସାମନ୍ତିଆପଲ୍ଲୀ, ବି ନୂଆଗାଁ, ଗୁଡିପଦର, ଜୟନ୍ତୀପୁର, କେଶରୀ ପଡା, ବରଙ୍ଗ, ଗୁଣ୍ଡୁରା, ଆମ୍ବପୁର, ସାମନ୍ତରା ପୁର,ତୁମ୍ବା,ବୁରାତାଲ, ପଂଚାୟତର ର ତିରିଶିରୁ ଉର୍ଦ୍ଧ ଗ୍ରାମର ସୀମା ସରହଦ ଅନ୍ଧ୍ରକୁ ସଂଯୋଗ କରୁଛି।ସେଥି ମଧରୁ ପ୍ରାୟ ପଚାଶ କିଲୋମିଟର ଦୁର୍ଗମ ଅଂଚଳ ରହିଛି। ଏହି କାର୍ଯ୍ୟ ପାଇଁ ଷୋହଳ ଜଣ ରାଜସ୍ବ କର୍ମଚାରୀ ଏକ ମାସରୁ ଉର୍ଦ୍ଧ ସମୟ ଅଞ୍ଚଳରେ ଡେରା ପକାଇ ସୀମା ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି। ତେବେ କୌଣସି ସ୍ଥାନରେ ଆନ୍ଧ୍ର ପକ୍ଷରୁ ଜବରଦଖଲ ସୂଚନା ମିଳିନଥିବା ଦର୍ଶାଯାଇଛି। ତେବେ ସୀମାନ୍ତ ତୁମ୍ବା ପଞ୍ଚାୟତ କୁଲାଡି ଆଦିବାସୀ ଗ୍ରାମରୁ ଗତ କିଛିବର୍ଷ ପୂର୍ବେ କେତେକ ପରିବାର ରହୁଥିବା ସାତପୁରୀ ଗ୍ରାମଟି ଆନ୍ଧ୍ରପ୍ରଦେଶ ଇଲାକାରେ ଥିବା ଜଣାଯାଇଛି। ପାତ୍ରପୁର ତହସିଲର ତୁମ୍ବା ପଂଚାୟତର କୁଲାଡି ବାବନା ସାହି, ବୁରାତାଲ ପଂଚାୟତର ଗୁଡିଖଳା ଗ୍ରାମର ଲୋକମାନେ ଓଡ଼ିଶା ଏବଂ ଆନ୍ଧ୍ରରୁ ବିଭିନ୍ନ ସୁବିଧା ସୁଯୋଗ ପାଉଛନ୍ତି। ଲୋକଙ୍କ ପାଖରେ ଉଭୟ ରାଜ୍ୟର ଆଧାର ଭୋଟ ପରିଚୟ ପତ୍ର ରହିଥିବା ବେଳେ ଉଭୟ ରାଜ୍ୟରେ ଭୋଟ ବେଳେ ଅଂଶଗ୍ରହଣ କରୁଛନ୍ତି। ଗୁଡିଖଳା ଗ୍ରାମଟି ଆନ୍ଧ୍ର ମଞ୍ଜୁସ। ମଣ୍ଡକ ରେ ଥିବା ବେଳେ ପାତ୍ରପୁର ବ୍ଳକ ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧୀନରେ ରହିଛି। ଏହିସବୁ ଗ୍ରାମକୁ ଆନ୍ଧ୍ର ବିଜୁଳି ଯୋଗାଣ କରି ଲୋକଙ୍କୁ ଭତ୍ତା, ଅଙ୍ଗନବାଡି ଯୋଜନାର ସୁବିଧା, ପଡିକାର୍ଡରେ ଜିନିଷ ଯୋଗଣ ପିଲାଙ୍କୁ ଆବାସ ବିଦ୍ୟାଳୟରେ ରଖି ପାଠ ପଢ଼ିବା ସହ ସମସ୍ତଙ୍କୁ ପାଇଁ ଆର୍ଥିକ ପ୍ରୋତ୍ସାହନ ମାଗଣା କୀଟ ପ୍ରଦାନ କରୁଛି। ଦୁଇଟି ଗ୍ରାମ ପାର୍ଶ୍ୱଦେଇ ପକ୍କା ରାସ୍ତା ନିର୍ମାଣକରି ଯାତ୍ରୀବାହୀ ବସ ଚଳାଚଳ କରାଇବା, ଆନ୍ଧ୍ରର ନାମ ଫଳକ ଲଗାଇବା ସହିତ ଚାଷ ଜମି ପଟା ଯୋଗାଇ ଜମିର ଉନ୍ନତି ପାଇଁ ଅର୍ଥ ଯୋଗାଇଛି। ସେହିପରି ଗୁଡିପଦର ପଂଚାୟତର ଏସ ବଳରାମପୁର ଗ୍ରାମରେ ଆନ୍ଧ୍ରର ୨୦୦ ପରିବାର ଥିବା ବେଳେ ଓଡ଼ିଶାର ୨୦ ପରିବାର ରହୁଛନ୍ତି।

ସେହିପରି ବିନୁଆଗାଁ ପଞ୍ଚାୟତର ଟି ବ୍ରହ୍ମପୁର ଗ୍ରାମରେ ଓଡ଼ିଶାର ୪୫୦ରୁ ଉର୍ଦ୍ଧ୍ବ ଲୋକ ରହୁଥିବା ବେଳେ ଆନ୍ଧ୍ରର ଲୋକମାନେ ମଧ୍ୟ ବସବାସ କରୁଛନ୍ତି। ପଂଚାୟତର ଅନ୍ୟ ଦୁଇଟି ଗ୍ରାମରେ ମଧ୍ୟଏହି ଭଳି ଚିତ୍ର ଦେଖିବାକୁ ମିଳୁଛି। ଲୋକଙ୍କ ପାଖରେ ଉଭୟ ରାଜ୍ୟର ପରିଚୟ ପତ୍ର ରହି ଥିବାରୁ ଦୁଇ ରାଜ୍ୟରୁ ବିଭିନ୍ନ ସୁବିଧା ପାଉଥିବା ବେଳେ ଭୋଟ ବେଳେ ଦୁଇ ରାଜ୍ୟରେ ନିର୍ଣ୍ଣାୟକ ଭୂମିକା ନିର୍ଵ।ହ କରୁଛନ୍ତି। ଶବରଦେଇ ପେଟା ଏସ ବଳରାମ ପୁର ଗ୍ରାମର ଲୋକଙ୍କୁ ଆନ୍ଧ୍ର ଡାକ ଘର ଠିକଣାରେ ସୁବିଧା ମିଳୁଛି। ନିର୍ବାଚନ ବେଳେ ଯେଉଁ ଭଳି ତତ୍ପରତା ପ୍ରକାଶ ପାଉଛି ପରବର୍ତ୍ତୀ ସମୟରେ ସେଥିରେ ସିଥିଳତା କେତେକ କାର୍ଯ୍ୟରେ ପରି ଲିଖିତ ହେଉଥିବା ଅଭିଯୋଗ ହେଉଛି। ତେବେ ତହସିଲ ପ୍ରଶାସନ ସୀମା ଜାଗିଲା ଭଳି ବ୍ଳକ ସହ ଅନ୍ୟ କାର୍ଯ୍ୟାଳୟ ଲୋକଙ୍କ ସହିତ ସୁଖ ଦୁଃଖରେ ଭାଗୀ ହେଲେ ଲୋକଙ୍କ ଆନ୍ଧ୍ର ମୁହାଁ ରୋକାଯାଇ ପାରିବ ଆଶାରହିଛି।

Comments are closed.