ଥଇଥାନ ହେବାକୁ ଥିବା ୫ଆଦିବାସୀ ଗ୍ରାମର ସ୍ତିତି ଅନୁଧ୍ୟାନ

ପାତ୍ରପୁର : ତିତଲିରେ କ୍ଷତି ହୋଇଥିବା ପାତ୍ରପୁର ତହସିଲର ପାଞ୍ଚଟି ଦୁର୍ଗମ ଆଦିବାସୀ ଗ୍ରାମର ପରିବାର ସମ୍ପର୍କରେ ଆଜି ତହସିଲଦାର ଅନୁଧ୍ୟାନ କରି ତାଲିକା ପ୍ରସ୍ତୁତ କରିଛନ୍ତି। ପାତ୍ରପୁର ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା ଆଜି ଡଙ୍ଗା ସାହାଯ୍ୟରେ ବାଘଲଟି ଜଳଭଣ୍ଡାର ପାର କରି ଚାଲି ଚାଲି ଏହିସବୁ ଗ୍ରାମରେ ପହଞ୍ଚି ସ୍ଥାନାନ୍ତରିତ ହେବାକୁ ଥିବା ପରିବାର ତାଲିକା ପ୍ରସ୍ତୁତ କରିଥିଲେ। ସ୍ଥାନାନ୍ତରିତ ହେବାକୁ ଥିବା ଏଲଗଲ, ମାଡୁଆ, ସିରିସିଗଣ୍ଡ, ଗ୍ରାମରେ ତହସିଲଦାର ଟିମ୍ ସହ ପହଞ୍ଚି ପ୍ରତ୍ୟେକ ପରିବାରର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରି ତାଲିକା ପ୍ରସ୍ତୁତ କରିଥିଲେ। ଗତ ତିତିଲି ବାତ୍ୟା ବେଳେ ଏହିସବୁ ଆଦିବାସୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଏହିସବୁ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେବା ପରେ ଦୁଇଟି ଗ୍ରାମର ଲୋକମାନେ ଖରିଆଗୁଡ଼ା ପଞ୍ଚାୟତର ସୌର ତାଳପଡ଼ା ମୌଜାରେ ରହିବାପାଇଁ ପ୍ରଶାସନକୁ ଜଣାଇ ଥିଲେ।

ତେବେ ପରବର୍ତ୍ତି ସମୟରେ ଅନ୍ୟ ଗ୍ରାମ ମଧ୍ୟ ସ୍ଥାନାନ୍ତରିତ ହେବାକୁ ଜଣାଇବା ପରେ ସବୁ ଗ୍ରାମର ଲୋକମାନଙ୍କୁ ତୁରିବୁଡି ପଞ୍ଚାୟତ ଝଗଡା ପଲ୍ଲୀ ମୌଜାରେକୁ ସ୍ଥାନାନ୍ତରିତ କରିବା ସ୍ଥିର ହୋଇଥିଲା। ଏଥି ପାଇଁ ବିଭିନ୍ନ ସମୟରେ ତହସିଲଦାର ପହଞ୍ଚି ଜମି ଚିହ୍ନଟ କରିଥିଲେ। ଏହି ସମୟରେସବୁ ଗ୍ରାମର ଲୋକମାନେ ପହଞ୍ଚି ଥିଲେ। ତେବେ ଗତ ବର୍ଷ ପୁଣି ବାଦଲ ଫଟା ବର୍ଷା ହେବା ପରେ ଏଲଗଲ ଗ୍ରାମରେ ପୁଣି ଜଙ୍ଗଲ ନାଳ ପାଣି ପସିଯାଇଥିଲା। ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ତିତିଲିକୁ ଦୁଇ ବର୍ଷ ବିତିବାକୁ ବସିଥିବାବେଳେ କେରୋନା ଯୋଗୁଁ ଥଇଥାନ କାର୍ଯ୍ୟ ଧିମେଇ ଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ଏହି ସବୁ ଗ୍ରାମକୁ ଥଇଥାନ ପାଇଁ କାର୍ଯ୍ୟ ପୁଣି ଆରମ୍ଭ କରିଛନ୍ତି। ଯାହାକୁ ନେଇ ଆଦିବାସୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଆଜି ପାତ୍ରପୁର ତହସିଲଦାର ଖରିଆଗୁଡ଼ା ଏବଂ ଜରଡା ରାଜସ୍ୱ ନିରୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଆକଳନ କରିଛନ୍ତି।

Comments are closed.