ପାହାଡ଼ି କନ୍ୟା ଏବେ ଭାରୋତ୍ତୋଳନ ପ୍ରଶିକ୍ଷିକା

ପାତ୍ରପୁର : ଇଚ୍ଛା ଶକ୍ତି ରହିଲେ ସବୁକିଛି ସମ୍ଭବ। ଏହା କରି ଦେଖାଇଛନ୍ତି ଏକ ଦୁର୍ଗମାଞ୍ଚଳ ଗ୍ରାମର ଜଣେ ଆଦିବାସୀ କନ୍ୟା। କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ଏଭଳି ସଫଳତା ପାଇଛନ୍ତି ପାତ୍ରପୁର ବ୍ଳକ ଦୁର୍ଗମ ବୁରାତାଲ ଗ୍ରାମର ପାହାଡି କନ୍ୟା ଟୁକୁନି ବଡମୁଣ୍ଡି। ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ପାଠପଢ଼ା ଆରମ୍ଭ କରିଥିବା ଟୁକୁନି ପରବର୍ତ୍ତୀ ସମୟରେ ଭାରୋତ୍ତୋଳନରେ ପ୍ରଶିକ୍ଷିକା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। କଲେଜ ପାଠପଢା ସହ ଭାରୋତ୍ତୋଳନ ତାଲିମ ନେଇ ଏବେ ସେ ପ୍ରଶିକ୍ଷିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଟୁକୁନି ଏବେ ଭୁବନେଶ୍ୱରରେ ଥିବା ହାଇପର୍ଫର୍ମାନ୍‌ସ ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷିକା ଭାବେ ଯୋଗଦେଇ ୭ମରୁ ଗ୍ରାଜୁଏସନସ୍ତରର ବିଦ୍ୟାର୍ଥୀଙ୍କୁ ଭାରୋତ୍ତୋଳନ ତାଲିମ ଦେଉଛନ୍ତି। ଏହି ନିଯୁକ୍ତି ସେଣ୍ଟରର ମୁଖ୍ୟ ଵିଦେଶୀ କୋଚ କାଜମ ପଞ୍ଜାବୀ(ଇର।ନ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ। ଗରିବ ଘରର ଟୁକୁନି ପିଲାବେଳେ ବିଦ୍ୟାଳୟ ପିଣ୍ଡା ମାଡି ନଥିଲେ। ବୁରାତାଲ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମବିକାଶ ଦ୍ବାରା ପରିଚାଳିତ ଅଣଅନୁଷ୍ଠାନ ଶିକ୍ଷା କେନ୍ଦ୍ରରେ ନାମ ଲେଖାଇ ପାଠପଢ଼ା ଆରମ୍ଭକରି ପିଲାବେଳର ପଥର ଗୋଟା ଅନୁଭୂତିକୁ ନେଇ ଭାରୋତ୍ତୋଳନ ପ୍ରତି ମନ ବଳାଇଥିଲେ। ପରେ ଜାତୀୟ ଭାରୋତ୍ତୋଳନରେ ଜୁନିୟର ଓ ସିନିୟର ବର୍ଗରେ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ଆଣିଥିଲେ। ପାତ୍ରପୁର ବ୍ଲକର ଦୁର୍ଗମ ବୁରାତଲ ଗ୍ରାମର ସମ୍ବାରୁ ବଡମୁଣ୍ଡିଙ୍କ ଝିଅ ଟୁକୁନି ପିଲାବେଳୁ ଜଙ୍ଗଲୀ ବଗଡ଼ (ଚାଷ)ରେ ବାପାଙ୍କୁ ସହାୟତା କରୁଥିଲେ। ଏହି ସମୟରେ ଅଣ ଅନୁଷ୍ଠାନ କେନ୍ଦ୍ରରେ ତିନି ବର୍ଷ ପାଠ ପଢିବା ପରେ କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ କଙ୍କିଆ ଆବାସିକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଗରିବ ହୋଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସମସ୍ତ ପ୍ରକାର ସହାୟତା ଦେଇଥିଲେ। ପରେ ତାଙ୍କ ପାଖରେ ଲୁଚି ରହିଥିବା ପ୍ରତିଭା ପରିସ୍ଫୁଟିତ ହୋଇଥିଲା। ବିଦ୍ୟାଳୟ ଖେଳକୁଦରେ ନିଜକୁ ସାମିଲ କରିଥିଲେ। ସଟ୍‌ପୁଟ୍‌, ଡିସ୍‌କସ୍‌ ଥ୍ରୋରେ ଭାଗନେଇ ପୁରସ୍କୃତ ହୋଇଥିଲେ। ଏହା ପରେ ସ୍କୁଲ ପକ୍ଷରୁ ବିଭିନ୍ନ କ୍ରୀଡା ଉପକରଣ ଯୋଗାଇବା ସହିତ ବ୍ରହ୍ମପୁର ବୀର ହନୁମାନ କ୍ଳବର ପ୍ରଶିକ୍ଷକ ରମେଶଚନ୍ଦ୍ର ପାଢ଼ୀଙ୍କୁ ତାଙ୍କର କୋଚ୍ ଭାବେ ନିୟୋଜିତ କରିଥିଲେ। ୨୦୦୯ରେ ଜିଲାସ୍ତରୀୟ ଭାରୋତ୍ତୋଳନରେ ଅଂଶଗ୍ରହଣ କରି ଟୁକୁନି ପ୍ରଥମ ହୋଇଥିଲେ। ୨୦୧୦ ଓ ୨୦୧୧ରେ ସେ ରାଜ୍ୟସ୍ତରୀୟ ଜୁନିୟର ଭାରୋତ୍ତୋଳନରେ ଭାଗନେଇ ପ୍ରଥମ ହୋଇଥିଲେ। ଏହି ସଫଳତା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ନଜର ଟୁକୁନିଙ୍କ ଉପରେ ପଡ଼ିଥିଲା। ସେ ସର୍ବଭାରତୀୟ କ୍ରୀଡାରେ ଔରଙ୍ଗାବାଦ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଆସାମ, ପଞ୍ଜାବ, ଛତିଶଗଡ଼, ବାଙ୍ଗାଲୋରରେ ଅନୁଷ୍ଠିତ ସ୍କୁଲ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ। ୨୦୧୨ ଜାନୁଆରୀରେ ଅଧିକ ତାଲିମ ପାଇଁ ବାଙ୍ଗାଲୋର ସାଇ ହଷ୍ଟେଲରେ ଯୋଗ ଦେଇଥିଲେ।

ଏମଧ୍ୟରେ ବାଲିପଡା କଲେଜରେ +୨, ଚିକିଟି କଲେଜରେ +୩ ଶିକ୍ଷା ସମାପ୍ତ କରିଥିଲେ। ବିପିଏଏଡ୍ କରିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଭାରୋତ୍ତୋଳନ କୋଚିଂରେ ସାର୍ଟିଫିକେଟ କୋର୍ସ କରିଥିଲେ। ପରେ ସେ କୋଚ ହେବାର ସୌଭାଗ୍ୟ ପାଇଥିଲେ। ଏବେ କୋଚ୍ ହୋଇ ଆଦିବାସୀ ଛାତ୍ରୀଙ୍କୁ ୪୧ କିଗ୍ରା ଵର୍ଗରେ ତାଲିମ ଦେବା ସହିତ ଗତ ସପ୍ତାହରେ ତାଙ୍କ ତତ୍ତ୍ବାବଧାନରେ ତାଲିମ ନେଉଥିବା ପିଲାଙ୍କୁ ନେଇ ତାମିଲନାଡୁରେ ଅନୁଷ୍ଠିତ ଭାରୋତ୍ତୋଳନ ପ୍ରତିଯୋଗିତାରେ ପରିଚାଳକ ଭାବେ ସେ ଯୋଗ ଦେଇଥିଲେ। ଜଙ୍ଗଲୀ ଜୀବନରୁ ଜାତୀୟସ୍ତରୀୟ ପ୍ରତିଯୋଗିତା‌େ‌ର କୃତିତ୍ବ ସହ କୋଚ ଭାବେ ଟୁକୁନି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରି ଭାରୋତ୍ତୋଳନ କୋଚ୍ ହେବାର ସୌଭାଗ୍ୟ ଅର୍ଜନ କରିଥିବା ଟୁକୁନି ଏବେ ଚର୍ଚ୍ଚାରେ। ଟୁକୁନି ଅଗାମୀ ଦିନରେ ଅଧିକ ସଫଳତା ପାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Comments are closed.