ପାଟଣାଗଡ ଉପଖଣ୍ଡରେ ଚାଲିଛି ବେଧଡକ ଜୁଆ ପଟ୍ଟି ଖେଳ

ପାଟଣାଗଡ: କରୋନା ମହାମାରୀ ଯୋଗୁଁ ସହରଠୁ ଗ୍ରାମାଂଚଳ ସବୁଠି ଯାନି ଯାତ୍ରା ଗତ ଦୁଇ ବର୍ଷ ହେବ ବନ୍ଦ ରହିଥିଲା। ବର୍ତ୍ତମାନ କିଛି ମାତ୍ରାରେ କରୋନା ସଂକ୍ରମଣ କମିଛି। ତଥାପି ସରକାର ବିଭିନ୍ନ ନୀୟମାବଳୀ ଜାରି ରଖିଛନ୍ତି। ଯାନି ଯାତ୍ରାକୁ ଅନୁମତି ପ୍ରଦାନ କରୁନାହାନ୍ତି। କିନ୍ତୁ ପାଟଣାଗଡ ଅଂଚଳରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ଚାଲିଛି ଲକ୍ଷ୍ମୀପୂଜା ଏବଂ ଧନୁଯାତ୍ରା। ଏହାକୁ ଢାଲ କରି କିଛି ଅସାମାଜିକ ବ୍ୟକ୍ତି ଅନାୟାସରେ ଚଳାଇଛନ୍ତି ବେଆଇନ ଜୁଆ ତଥା ଘୁଡୁଘୁଡୁ ପଟ୍ଟି ଖେଳ। ଯେଉଁଥିରେ ବାହାର ରାଜ୍ୟମାନଙ୍କରେ କାମ ପାଇଁ ଯାଉଥିବା ଦାଦନ ଶ୍ରେଣୀର ଲୋକେ ଏବଂ ଯୁବଗୋଷ୍ଠୀ ଏହି ଖେଳରେ ସର୍ବସ୍ୱାନ୍ତ ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହେଉଛି। ଗାଁ ଦାଣ୍ଡରେ ଜୁଆ ଖେଳ ଏଭଳି ଚାଲିଛି ଯେଉଁଥିରେ ନାବାଳକ ମାନେ ମଧ୍ୟ ସାମିଲ ହେଉଛନ୍ତି।

 

ଏପରିକି ଏହି ଜୁଆ ଖେଳ ପାଇଁ ଅନେକ ସାଧାରଣ ପରିବାର ଉଜୁଡି ଯାଉଛି। ଗୋଟିଏ ଗୋଟିଏ ଗାଁ ରେ ୪ ରୁ ୫ ଟି ଜୁଆ ପଟ୍ଟି ପଡୁଥରବାର ନଜିର ରହିଛି। ମୁଖ୍ୟତଃ ପାଟଣାଗଡ ଉପଖଣ୍ଡର ତେଣ୍ଡାପଦର, ଯୋଗୀମୁଣ୍ଡା, ମାୟାବର୍ହା, ଦେଦର୍ହ, ଗଡିଆଯୋର, ପର୍ଲିମାଲ, ପାଚେର, ଭରୁଆପାଲି, ତେତେଲମୁଣ୍ଡା, କୁଦୋଭଟା, ଡେବ୍ରିପାଲି, ବିଛୁବାହାଲି ପ୍ରମୁଖ ଅଂଚଳରେ ଖୋଲାଖୋଲି ଚାଲିଛି ଜୁଆ ଖେଳ। ଏ ବିଷୟରେ ବାରମ୍ବାର ପାଟଣାଗଡ ଉପଖଣ୍ଡ ପୁଲିସ ପ୍ରଶାସନକୁ ଜଣାଇଲେ ସୁଦ୍ଧା ନୀରବଦ୍ରଷ୍ଟା ସାଜିଛନ୍ତି। ଯାହା ଫଳରେ ଜୁଆ ଖେଳାଉଥିବା ଜୁଆଡିମାନେ ଆଇନକୁ ପାଦରେ ଦଳି ବେଧଡକ ଭାବେ ଗାଁ ଗାଁରେ ତାଙ୍କ ପତିଆରା ବୃଦ୍ଧି କରି ଜୁଆ ଖେଳ ଚଳାଇଛନ୍ତି। ଅନ୍ୟପକ୍ଷରେ ପୁଲିସ ପ୍ରଶାସନ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏଭଳି ବେଆଇନ କାର୍ଯ୍ୟକୁ ପରୋକ୍ଷରେ ପ୍ରଶ୍ରୟ ଦେଉଥିବା ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି। ଏଣୁ ଏ ଦିଗରେ ପାଟଣାଗଡ ଉପଖଣ୍ଡ ଭଳି ଦାଦନ ପ୍ରବଣ ଅଂଚଳର ଗରୀବମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ନେବାକୁ ଲୋକେ ଦାବି କରିଛନ୍ତି।

Comments are closed.