ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ମରାମତି କଲେ ‘ସେବା’ର ସ୍ୱେଚ୍ଛାସେବୀ

ପାଟଣାଗଡ଼:ବ୍ୟସ୍ତ ବହୁଳ ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ବ୍ରହ୍ମପୁରାଠାରୁ ରାମପୁର ପର୍ଯ୍ୟନ୍ତ ସଂପୂର୍ଣ୍ଣ ଖରାପ ହୋଇପଡିଥିଲା। ସ୍ଥାନୀୟ ସେବା ଚେରିଟେବୁଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ନିଜସ୍ୱ ଖର୍ଚ୍ଚରେ ପଥର ଗୁଣ୍ଡ ଆଣି ସେବାଦାନ କରି ରାସ୍ତାର ମରାମତି କରିଛନ୍ତି। ଯେଉଁଠି ସରକାରୀ ସଂସ୍ଥା କି ରାଜନେତାଙ୍କ ଆଖି ପଡିଲା ନାହିଁ ସେଠି ସ୍ୱେଚ୍ଛାସେବୀଙ୍କ କାମ ଦେଖି ସହରବାସୀ ସାବାସୀ ଦେଉଛନ୍ତି ସେମାନଙ୍କୁ।
ବଲାଙ୍ଗିର-ପାଟଣାଗଡ-ପଦ୍ମପୁର ପୂର୍ତ୍ତବିଭାଗ ରାସ୍ତା ସହରର ବ୍ରହ୍ମପୁରାରୁ ରାମପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ଭାଙ୍ଗି ଯାଇ ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଥିଲା। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟିବା ସହ କେତେକ ଯାତ୍ରୀ ମରଣମୁହଁରେ ମଧ୍ୟ ପଡିଥିବା ନଜିର ରହିଥିଲା। ତେବେ ବାରମ୍ବାର ପ୍ରଶାସନ ତଥା ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏହି ରାସ୍ତା ମରାମତି କାମ ହୋଇପାରିନଥିଲା। ଏହାଛଡା ରାସ୍ତାରେ ସବୁଦିନ ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ବହୁ ରାଜନେତା ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ପ୍ରତି କାହାର ନଜର ନଥିଲା କି ମରାମତି କାମ ପାଇଁ କୌଣସି ଆନ୍ତରିକତା ଦେଖାଇ ନଥିଲେ। ରାସ୍ତା ମରାମତିର ଗୁରୁତ୍ୱକୁ ଉପଲବ୍ଧି କରି ସେବା ଚେରିଟେବୁଲ ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ନିଜସ୍ୱ ଖର୍ଚ୍ଚରେ ପଥର ଗୁଣ୍ଡ ଆଣି ସେବାଦାନ କରି ବ୍ରହ୍ମପୁରାଠାରୁ ରାମପୁର ପର୍ଯ୍ୟନ୍ତ ରାସ୍ତାରେ ଥିବା ଖାଲଖମାକୁ ପୋତି ରାସ୍ତାର ସାମୟିକ ମରାମତି କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ସେବାର ସ୍ୱେଚ୍ଛାସେବୀମାନେ ବର୍ତ୍ତମାନ ପାଟଣାଗଡରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Comments are closed.