ଗାଈ ବାଛୁରୀ ବନ୍ଧାରୁ ପୂର୍ବ ଶତ୍ରୁତା: ଭୁଜାଲି ମାଡରେ ୧ ଗୁରୁତର, ୨ ଆହତ

ପାଟଣାଗଡ଼: ପାଟଣାଗଡ଼ ଥାନା ଅନ୍ତର୍ଗତ ଚିଙ୍ଗେରବନ୍ଧ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ତିନି ଜଣଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ମାରଣାନ୍ତକ ଆକ୍ରମଣ କରିଛି। ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ପାଟଣାଗଡ଼ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ପୁଲିସରେ ଏନେଇ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ପାଟଣାଗଡ଼ ସହରରୁ ୩ କିଲୋମିଟର ଦୂର ଚିଙ୍ଗେରବନ୍ଧ ଗାଁରେ ପଙ୍କଜ ବାଗ ଓ ନିର୍ମଳ ବାଗ ରହନ୍ତି। ଦୁଇ ପରିବାର ପଡୋଶୀ। କିଛି ମାସ ତଳେ ଘର ଅଗଣାରେ ଗାଈ, ବାଛୁରୀକୁ ବାନ୍ଧିବା ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ପଙ୍କଜ ଏକ ଭୁଜାଲି ସହାୟତାରେ ୩୫ ବର୍ଷୀୟ ନିର୍ମଳ, ଭାଇ ନୀଳାମ୍ବର ବାଗ(୨୬) ଓ ନିର୍ମଳଙ୍କ କାକା ମହେଶ୍ୱର ବାଗ(୪୫)ଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ନିର୍ମଳ, ନୀଳାମ୍ବର ଓ ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେତ୍ତ୍‍ିର୍ କରାଯାଇଛି। ନିର୍ମଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ଚିକିତ୍ସା ଚାଲିଥିବ ବେଳେ ପାଟଣାଗଡ଼ ଥାନାରେ ଆହତଙ୍କ ପରିବାର ଲୋକେ ଖବର ଲେଖା ହେବା ବେଳକୁ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ପଙ୍କଜକୁ ଧରିବାକୁ ପୁଲିସ ଖୋଜାଖୋଜି ଆରମ୍ଭ କରିଛି।

Comments are closed.