ରେଳବାଇ ଓଭର ବ୍ରିଜରୁ ଖସି ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ସାରୁପାଟ ରେଲୱେ ପୋଲ ଉପରୁ ଏକ ବାଇକ ତଳକୁ ଖସିବାରୁ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣ ବାରିଆ ଥାନା ଅନ୍ତର୍ଗତ ହରିପଶି ଗ୍ରାମର ବଟକୃଷ୍ଣ ନାଏକ(୨୭) ବୋଲି ଜଣାପଡିଛି।

 

ମିଳିଥିବା ସୂଚନା ଅନୁଯାୟୀ ବଟକୃଷ୍ଣ ବି.ପି. ଏଲ୍ ଲାଇନ ଟଣା କାମରେ ସୁପର ଭାଇଜର ଭାବରେ କାମ କରୁଥିବାବେଳେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିବା ବେଳେ ସାରୁପାଟ ରେଲୱେ ଓଭର ବ୍ରିଜରୁ ଖସି ଗୁରୁତର ହୋଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ବଟକୃଷ୍ଣଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ବଟକୃଷ୍ଣ ଙ୍କ ମୃତ୍ୟୁ ଘଟିଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଆଜି କେନ୍ଦୁଝର ଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି।

Comments are closed.