ପାଟନା ସାହିବ ଲୋକସଭା ଆସନ : ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ଜୋରଦାର ଟକ୍କର

ପାଟନା: ବିହାରର ପାଟନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ରବିବାର ଦିନ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‍ ଗ୍ରହଣ ହେବ। ୨୦୦୮ ମସିହାରେ ସଂସଦୀୟ ନିର୍ବାଚନ ମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣ ହେବା ପରେ ପାଟ୍‍ନା ସାହିବ ନିର୍ବାଚନ ମଣ୍ଡଳୀ ସୃଷ୍ଟି
ହୋଇଥିଲା। ତାହା ପୂର୍ବରୁ ଏହାକୁ ପାଟନା ଲୋକସଭା ଆସନ ବୋଲାଯାଉଥିଲା । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ
ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ପାଟନା ସାହିବ ଆସନରୁ ବିଜେପି ଟିକେଟରେ  ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଏଥର କିନ୍ତୁ ପରିସ୍ଥିତି ଭିନ୍ନ ରୂପ ନେଇଛି। କାରଣ ବିଜେପି ଶ୍ରୀ ସିହ୍ନାଙ୍କୁ ଟିକେଟ୍‍ ନ  ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ଓ ମହାମେଣ୍ଟରୁ ପାଟନା ସାହିବ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶତ୍ରୁଘ୍ନ ସିହ୍ନା ଏଥରକ ମଧ୍ୟ ବିଜୟୀ ହେବାର ଆଶା ରଖିଛନ୍ତି। କିନ୍ତୁ ତାଙ୍କ ବିପକ୍ଷରେ
କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରବିଶଙ୍କର ପ୍ରସାଦ ନିର୍ବାଚନ ଲଢ଼ୁଛନ୍ତି । ଶ୍ରୀ ପ୍ରସାଦ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ପାଟନା
ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସେଗୁଡ଼ିକ ମଧ୍ୟରୁ ୫ଟିରେ ବିଜେପିର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ କେବଳ ଫତୁହା ନିର୍ବାଚନ ମଣ୍ଡଳୀରୁ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ।

ଜାତୀୟ ନିରାପତ୍ତା,ବେକାରୀ ଓ ସ୍ଥାନୀୟ ସମସ୍ୟା ସେଠାରେ ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ରହିଛି । ଏନ୍‍ଡିଏ ବିକାଶ, କଲ୍ୟାଣମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ୁଥିବା ବେଳେ ବିରୋଧୀଦଳ ମାନେ କୃଷକମାନଙ୍କର ସମସ୍ୟା ଓ ବେକାରୀ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ୁଛନ୍ତି।

Comments are closed.