ପାଚେରି ଡେଇଁ ଘରକୁ ପଳାଇଲେ ୨ ସଙ୍ଗରୋଧୀ, ପୁଲିସ ହସ୍ତକ୍ଷେପ ପରେ ଫେରିଲେ

ପାଟଣା :ଏବେ ଆଉ ସଙ୍ଗରୋଧ କେନ୍ଦ୍ର ଭଲ ଲାଗୁନି । ସରକାରଙ୍କ ନିୟମ ଅନୁପାଳନ କରିବାକୁ ରାଜି ନୁହଁନ୍ତି ଅନେକ। ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଭଲ ଲାଗୁ ନ ଥିବାରୁ ସେମାନେ ଘରକୁ ଚାଲିଯିବାକୁ ଜିଦ୍‌ ଧରୁଛନ୍ତି। ପରିସ୍ଥିତି ଏଭଳି ସୃଷ୍ଟି ହେଉଛି ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ଘରକୁ ପଳାଉଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମଳିଥିଲା କେନ୍ଦୁଝର ଜିଲା ପାଟଣାଥାନା ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ। ଏହି କେନ୍ଦ୍ରରୁ ଦୁଇଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ତେବେ ସେମାନେ ଲୁଚି କରି ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ପଳାଇଥିଲେ। ପାଟଣା ପୁଲିସ ହସ୍ତକ୍ଷେପ ପରେ ପୁଣିଥରେ ସେମାନେ ସଙ୍ଗରୋଧ କେନ୍ଦ୍ର ଆସି ରହିଥିବା ଜଣାପଡ଼ିଛି।

କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଦୁଇ ଜଣ ପ୍ରବାସୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ସଙ୍ଗୋରଧ କେନ୍ଦ୍ରରୁ ଦୁଇ ଜଣ ପ୍ରବାସୀଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଆସିଥିଲା। ଫଳରେ ସଂକ୍ରମିତ ଦୁଇଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଏହି କେନ୍ଦ୍ରର ଅନ୍ୟ ଅନ୍ତେବାସୀଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା। ପୂର୍ବରୁ ସଙ୍ଗରୋଧ ଅବଧି ସାରି ନିଜ ଘରକୁ ଫେରିଥିବା ଅନ୍ୟ ଦୁଇଜଣ ପ୍ରବାସୀଙ୍କୁ ଏଥିପାଇଁ ପୁଣିଥରେ ସେଡକାଯାଇଥିଲା। ସେମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଜି ସେମାନଙ୍କ ଠାରୁ ସ୍ୱାବ୍ ସଂଗ୍ରହ ପରେ ଉଭୟଙ୍କୁ ପୁନଶ୍ଚ ମାଛଗଡ଼ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା। ତେବେ ଆଜି ସନ୍ଧ୍ୟାରେ ସେମାନେ କାହାକୁ କିଛି ନ କହି ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ପଳାଇଥିଲେ। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ନ ପାଇବାରୁ  ଏ ସମ୍ପର୍କରେ ପଞ୍ଚାୟତ ତରଫରୁ ପାଟଣା ଥାନାରେ ସରପଞ୍ଚ ଈଶ୍ୱର ଚନ୍ଦ୍ର ନାଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପାଟଣା ଥାନାଧିକାରୀ ସୋମନାଥ ଜେନା ମାଛଗଡ ପଞ୍ଚାୟତ ଅଞ୍ଚଳକୁ ଯାଇଥିଲେ। ସେଠାରେ ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଦୁଇ ପ୍ରବାସୀ ଘରକୁ ପଳାଇ ଆସିଥିବା ଜାଣିବାକୁ ପାଇଥିଲେ।  ଏହାପରେ ସେହି ଦୁଇପ୍ରବାସୀଙ୍କୁ ବୁଝା ସୁଝା କରିଥିଲେ ଏବଂ ସେମାନଙ୍କୁ ପୁଣିଥରେ  ସଙ୍ଗରୋଧରେ ରହିବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି।

Comments are closed.