ପ୍ରମିଳା ଜୁଏଲାରୀ ଲୁଟ ଘଟଣା: ୪ ଆନ୍ତରାଜ୍ୟ ଡକାୟତ ଗିରଫ, କାର ସହ ଅଳଙ୍କାର ଜବଦ

ପାଟଣା : ପାଟଣା ବଜାରରେ ଥିବା ପ୍ରମିଳା ଜୁଏଲାରୀରୁ ଗତ ୧୫ ତାରିଖ ରାତିରେ ଆଜବେଷ୍ଟସ୍ ଭାଙ୍ଗି ନଗଦ ୪୫ ହଜାର ଟଙ୍କା ସହ ସୁନା ଅଳଙ୍କାର ଓ ରୂପା ଅଳଙ୍କାର ଲୁଟ ହୋଇଥିଲା। ଏ ସମ୍ପର୍କରେ ଜାନୁଆରୀ ୧୬ରେ ଅଳଙ୍କାର ଦୋକାନ ମାଲିକ ଅଜୟ ପରିଡ଼ା ପାଟଣା ଥାନାରେ ଏତଲା ଦେଇଥିଲେ। ଖବର ପାଇବା ପରେ ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଥାନା ସବଇନ୍ସପେକ୍ଟର ଶିବଶଙ୍କର ଆଲଦା ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଗହଣା ଦୋକାନରୁ ଚୋରି ସମୟରେ ଥାନା ଅଧିକାରୀ ସୋମନାଥ ଜେନା ଛୁଟିରେ ଥିଲେ। ସେ କାର୍ଯ୍ୟ କ୍ଷେତ୍ରକୁ ଫେରିବା ପରେ ଚୋରି ମାମଲାରେ ତଦନ୍ତ କରୁଥିବା ସବଇନ୍ସପେକ୍ଟର ଶିବଶଙ୍କର ଆଲଦାଙ୍କୁ ନେଇ ଲୁଟ ଘଟଣାର ତଦନ୍ତକୁ ଆଗକୁ ନେଇଥିଲେ। ଫଳରେ ପାଟଣା ପୁଲିସକୁ ବଡ ଧରଣର ସଫଳତା ମିଳିଛି।

 

ପ୍ରମିଳା ଜୁଏଲାରୀ ଲୁଟ ମାମଲାରେ ୪ ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ମୋବାଇଲ ଗୋଟିଏ ଅଲଟୋ କାର, ସାତକେଜି ମୁଣ୍ଡା ରୂପା ଓ ୨୮ ଗ୍ରାମର ସୁନା ଅଳଙ୍କାର ଆଦି ଜବଦ କରାଯାଇଛିବୋଲି ଆଜି ଘଟଗାଁ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ପାଟଣା ଥାନା ଅଧିକାରୀ ସୋମନାଥ ଜେନା ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗ୍ରାମର ଚିତ୍ତରଞ୍ଜନ ପାତ୍ର(୨୮) ଓ ତାଙ୍କ ଭାଇ ଅକ୍ଷୟ କୁମାର ପାତ୍ର(୩୪), ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଟିଆପଦର ପଞ୍ଚାୟତର ମୁନା ଜେନା(୩୧) ଏବଂ ଚମ୍ପୁଆ ଥାନା ରାମଲା ଗ୍ରାମର ବାବୁ ଓରଫ ଶ୍ରୀକାନ୍ତ ସାହୁ (୩୬) ସାମିଲ ଥିବା ପୁଲିସ ପକ୍ଷରୁ ପ୍ରକାଶ କରାଯାଇଥିଲା। ଆଜି ସମସ୍ତ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Comments are closed.