ସଙ୍ଗରୋଧ ଭୟରେ ରୋଗ ଲୁଚାଉଛନ୍ତି ଲୋକେ, ଡାକ୍ତରଖାନା କର୍ମଚାରୀଙ୍କୁ ଘାରିଲାଣି କରୋନା ଭୟ

ପାଟଣା: କେବଳ ପାଟଣା ପଞ୍ଚାୟତ ସମିତି ଅଞ୍ଚଳ ନୁହେଁ ଘଟଗାଁ ପଞ୍ଚାୟତ ସମିତି ଅଞ୍ଚଳରେ ମଧ୍ୟ କରୋନାର ଦ୍ୱିତୀୟ ଲହର ପାଦଥାପିବା ପରେ ଉଭୟ ପଞ୍ଚାୟତ ସମିତି ଅଞ୍ଚଳରେ କରୋନା ମୁଣ୍ଡ ନେଲାଣି। ସାଧାରଣ ଲୋକେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ଏହା ସତ୍ତ୍ୱେ କିଛି ଅମାନିଆ ମୁହଁରେ ତୁଣ୍ଡି ବାନ୍ଧୁ ନ ଥିବା ସାଙ୍ଗ ହୋଇ ମଦଦୋକାନ, ହାଣ୍ଡିଆ ଦୋକାନରେ ଏହାକୁ ପିଉଥିବା ଦେଖାଯାଇଛି। ଅନେକ କରୋନା ଲକ୍ଷଣ ସତ୍ତ୍ୱେ ଏହାର ପରୀକ୍ଷା ପାଇଁ ଡାକ୍ତରଖାନା ଅଥବା ସ୍ୱତନ୍ତ୍ର ଶିବିରଗୁଡିକୁ ନ ଯାଇ ମନଇଚ୍ଛା ଘରୋଇ ଔଷଧ ଦୋକାନରୁ ଔଷଧ କିଣି ଖାଉଛନ୍ତି। ବିଶେଷ କରି ଅନ୍ୟମାନଙ୍କ ନଜରରୁ ବଞ୍ଚିବା ଓ ସଙ୍ଗରୋଧକୁ ଏଡାଇବା ପାଇଁ ଏପରି କରୁଥିବାରୁ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ମତ ପ୍ରକାଶ ପାଇଛି।

ଲୋକେ ଆଣ୍ଟିଜେନ ପରୀକ୍ଷା ଅପେକ୍ଷା ଆରଟିପିସିଆର ପରୀକ୍ଷା ପାଇଁ ଚାହୁଁଥିବା ବେଳେ ଏଥିପାଇଁ ଯଥେଷ୍ଟ କିଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଉପଲବ୍ଧ ହେଉ ନ ଥିବାରୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୋକେ ଏହି ପରୀକ୍ଷା କରାଇବା ପାଇଁ ଆସି ଫେରୁଥିବା ଦେଖାଯାଇଛି। ପାଟଣା ପଞ୍ଚାୟତ ସମିତି ଅଞ୍ଚଳରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନା କର୍ମଚାରୀ ମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଥିବା ଦେଖାଯାଉଛି। ଡାକ୍ତରଖାନା କାର୍ଯ୍ୟାଳୟର ଫାଟକ ବନ୍ଦ ରଖାଯାଉଥିବା ଦେଖାଯାଉଥିବାରୁ ସାଧାରଣ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଓ ସତର୍କତା ମାନିବା କେତେ ଜରୁରୀ ସେ ସମ୍ପର୍କରେ ବ୍ୟାପକ ସଚେତନତା କରାଯିବାକୁ ମତପ୍ରକାଶ ପାଇଛି।

Comments are closed.