ଶ୍ଵଶୁର ଘରକୁ ଯାଇଥିଲେ ଶବ ହୋଇ ଫେରିଲେ, ଗାଁ ରେ ଶୋକାକୁଳ ପରିବେଶ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ଗ୍ରାମର ବାସିନ୍ଦା ତଥା ଟ୍ରକ୍ ମାଲିକ ନିରଞ୍ଜନ ବାରିକ (୪୭) ନିଜ ଶ୍ଵଶୁର ଘର ପାଲଲହଡା ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମକୁ ଯାଇଥିଲେ। ହେଲେ ଆଜି ତାଙ୍କ ଶବ ଗ୍ରାମକୁ ଫେରିବା ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଯୁବନେତା ତଥା ଘଷିପୁରା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯନାରାୟଣ କର, ଜିଲ୍ଲା ପରିଷଦ ସଦସ୍ୟ ରଣଜିତ୍ ନାୟକ, ମନୋହରପୁର ସରପଞ୍ଚ ଦୁଃଶାସନ ନାୟକ, ଢେଙ୍କିକୋଟ ଇବି ସଦସ୍ୟ ବିଜୟ କୁମାର ସାହୁ,ଶରତ କୁମାର ସାହୁ, ଯୁବ ବିଜେଡି ନେତା ଏସକେ ଇମରlନ୍, ସିକନ ପାଢ଼ୀ, ବିକ୍ରମ ଜେନା, ମହେଶ୍ୱର ସାହୁ, ବିଜୟ ପାଲ, ଦିଗାମ୍ୱର ନାୟକ ବହୁ ଜଣାଶୁଣା ବ୍ୟକ୍ତି ମନୋହରପୁର ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ନିରଞ୍ଜନ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ଶ୍ୟାମସୁନ୍ଦରପୁର ଯାଇଥିଲେ। ଆଜି ସକାଳୁ ଶଶୁର ଘର ଗାଁ ଦାଣ୍ଡରେ ମୋବାଇଲରେ କଥା ହୋଇ ଯାଉଥିବା ସମୟରେ ଅନ୍ୟମନସ୍କ ହୋଇ ଏକ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରକୁ ଧରିଦେବାରୁ ଏଥିରେ ବିଦ୍ୟୁତ ସରବରାହ କାରଣରୁ ତାଙ୍କୁ ଜୋର ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେ ପ୍ରାଣ ହରାଇଥିଲେ। ଏନେଇ ଶ୍ୟାମସୁନ୍ଦରପୁର ଗ୍ରାମର ତାଙ୍କ ଶଳା ଦେବାର୍ଚନ ପଲେଇ ପାଲଲହଡା ଥାନାକୁ ସୂଚନା ଦେଇଥିଲେ। ପୁଲିସ ତାଙ୍କ ଶବକୁ ଉଦ୍ଧାର କରି କେନ୍ଦୁଝରରେ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଆଜି ସନ୍ଧ୍ୟାରେ ମର ଶରୀର ମନୋହରପୁର ରେ ପହଞ୍ଚିବା ପରେ ଜଣାଶୁଣା ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦଶମ ଓ ତୃତୀୟ ଶ୍ରେଣୀରେ ପଢୁଥିବା ଦୁଇ କନ୍ୟା ଓ ପତ୍ନୀଙ୍କୁ ଛାଡ଼ି ନିରଞ୍ଜନ ପରପାରିକୁ ଚାଲିଯିବା ଘଟଣା ମନୋହରପୁର ବାସୀ ସହଜରେ ବିଶ୍ୱାସ କରି ପାରୁନାହାନ୍ତି।

Comments are closed.