ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ଘୋଷଯାତ୍ରା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦଧିବାମନ ଜୀଉଙ୍କ ଘୋଷ ଯାତ୍ରା ୩୪୬ ବର୍ଷରେ ପଦାର୍ପଣ କରିଥିବାବେଳେ ଆଜି ଘୋଷଯାତ୍ରା ଦେଖିବାକୁ ଓ ରଥ ଟାଣିବାକୁ ରାଜନଗର ରଥଦାଣ୍ଡ ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ ସମାବେଶ ଏଠାକାର ପରିବେଶକୁ ଆଧ୍ୟାତ୍ମିକମୟ କରିଦେଇଥିଲା। ଏଠାରେ ପରିଚ୍ଛା ଦୂର୍ୟୋଧନ ମିଶ୍ର ଛେରା ପହଁରା କରିଥିଲେ। ବ୍ରହ୍ମା ପ୍ରଦୀପ କୁମାର ମିଶ୍ର ,ମୁଖ୍ୟ ପୂଜକ ସତ୍ୟାନନ୍ଦ ପଣ୍ଡା ଓ ପୂଜକ ପ୍ରଦୀପ କୁମାର ପାଣି ପ୍ରମୁଖ ପୂଜାବିଧି ଓ ପହଣ୍ଡି କାର୍ଯ୍ୟକୁ ସମ୍ପାଦନ କରିଥିଲେ। ପଣ୍ଡିତ ଅକ୍ଷୟ ନାରାୟଣ ମିଶ୍ର ଓ କୈବଲ୍ୟ ଚରଣ ସାହୁ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନାଙ୍କ ଉପସ୍ଥିତିରେ ତୁରୁମୁଙ୍ଗା ପୁଲିସ,ଡ୍ରାଇଭର ମହାସଂଘ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା। ଏହି ରଥଯାତ୍ରାରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ସହ ସ୍ଥାନୀୟ ସରପଞ୍ଚ ସୁଧାଂଶୁ ନାଏକ ପ୍ରମୁଖ ସାମିଲ ରହିଥିବା ଦେଖିବାକୁ ମିଳିଥିଲା। ୧୬୭୬ ମସିହାରେ ରାଜନଗରରେ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ବାରା ସ୍ଥାପିତ ଦଧିବାମନ ଜୀଉଙ୍କ ରଥଯାତ୍ରା ପ୍ରତିବର୍ଷ ହୋଇ ଆସୁଥିବା ବେଳେ ଅତୀତରେ ଥରକ ପାଇଁ ବୈତରଣୀ ବନ୍ୟାଜଳ ରଥ ଭସାଇ ନେବାରୁ ରଥଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହା ଛଡ଼ା ମାଛଗଡ଼, ଉଦୟପୁର, ଖୀରେଇଟାଙ୍ଗିରୀ , ପ୍ରଧାନପଡ଼ା, ସରାସକୋଲା, ଟାଙ୍ଗରପଡା, ଦାମାହୁଦା , କୁଣ୍ଡଳା, ଡୁମୁରିଆ ଓ ପିପିଳିଆ ଆଦି ଗ୍ରାମ ରେ ମଧ୍ୟ ଆଜି ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

 

ପାଟଣା ବ୍ଲକ ଅନ୍ତର୍ଗତ ୨୨୦ନଂ ଜାତୀୟ ରାଜପଥ ସଂଲଗ୍ନ ମଲିପଶିରେ ତିନି ରଥରେ ରଥ ଯାତ୍ରା ଦେଖିବାକୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ମଲିପଶି ସ୍ଥିତ ମନ୍ଦିରରୁ ଠାକୁରଙ୍କ ପହଣ୍ଡି ବିଜେ କରାଯିବା ସହ ତିନିଠାକୁର ରଥାରୁଢ଼ ହେବାପରେ ଠାକୁର ରାଜା ରବିନାରାୟଣ ସିଂହ ରଥରେ ଛେରା ପହଁରା କରିଥିଲେ। ତିନି ରଥରେ ପୁଜକ ଭାବେ ସର୍ବଶ୍ରୀ କୁଳମଣୀ ଷଡ଼ଙ୍ଗୀ, ପ୍ରହଲ୍ଲାଦ ପଣ୍ଡା ଓ ସୌମ୍ୟରଞ୍ଜନ ପଣ୍ଡା ପୂଜା ଦାୟିତ୍ବରେ ଥିଲେ। ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ବାହିନୀ, ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସ୍ୱାମପାଟଣା ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଡ୍ରାଇଭର ମହାସଂଘ ଓ ଆଦିତ୍ୟ ବାହିନୀର କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବଳେ ରାଜୀ ଉପସଭାପତି ମିତ୍ରଭାନୁ ମହାନ୍ତ ଓ ଭରତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଏଠାରେ ଓଡ଼ିଶା କୁଡୁମୀ ସେନା ଶ୍ରଦ୍ଧାଳୁଙ୍କୁ ବସାଦହିପଣା ବିତରଣ କରିଥିଲା।

Comments are closed.