ପୂର୍ବତନ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସରଧାପୁର ନିକଟ ହୁଡ଼ିରେ ଥିବା ଏକ କାଳିକେନ୍ଦୁ ଗଛରୁ ଜଣେ ପୂର୍ବତନ ସରପଞ୍ଚ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଚାକୁଣ୍ଡାପାଳ ଗ୍ରାମର ସନ୍ତୋଷ କୁମାର ନାଏକ (୪୦)। ସେ ପୂର୍ବରୁ ୨୦୧୨/୧୭ ଯାଏ ଚାକୁଣ୍ଡାପାଳ ପଞ୍ଚାୟତର ସରପଞ୍ଚ ରହିଥିଲେ। ଏବେ ତାଙ୍କର ଭାଉଜ ସୌଭାଗ୍ୟ ମଞ୍ଜରୀ ନାଏକ ୨୨ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅଛନ୍ତି। ମୃତ ଶ୍ରୀ ନାଏକ ସରପଂଚ ପଦରୁ ଯିବା ପରେ କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କିଛି ବର୍ଷ କାର୍ଯ୍ୟ କରିଥିଲେ। ସେ କାହିଁକି ଆତ୍ମହତ୍ୟା କଲେ କିମ୍ବା ଏହା ଏକ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇ ତୁରୁମୁଂଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଝୁଲନ୍ତା ଶବ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ଜଣେ ପୂର୍ବତନ ସରପଂଚଙ୍କ ଅକାଳ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପତ୍ନୀ ଓ ଦୁଇ ସନ୍ତାନଙ୍କୁ ପର କରି ସନ୍ତୋଷଙ୍କ ଆତ୍ମହତ୍ୟା ପଛର ରହସ୍ୟ କଣ ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି।

Comments are closed.