ପେଟ ରୋଗ ସହି ନପାରି ମହିଳାଙ୍କ ଆତ୍ମହତ୍ୟା

ପାଟଣା: ପାଟଣା ଥାନା ଅନ୍ତର୍ଗତ ସରାସକୋଲା ଗ୍ରାମ ଜିଆଁଣିସାହୀ ର ସଞ୍ଜୟ କୁମାର ମହାନ୍ତଙ୍କ ପତ୍ନୀ ଲକ୍ଷ୍ମୀ ମହାନ୍ତ(୩୭) ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପେଟ ରୋଗ ଯନ୍ତ୍ରଣା ସହି ନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଗତକାଲି ରାତି ୧୦ ଟା ସମୟରେ ଏନେଇ ପୁଲିସକୁ ସୁଚନା ଦିଆଯାଇଥିଲା। ଥାନା ଉପନିରୀକ୍ଷକ ମନୋରମା ସ୍ୱାଇଁ ଘଟଣାର ତଦନ୍ତ କରିବା ସହ ଏନେଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରିଛନ୍ତି। ଆଜି ମୃତ ମହିଳାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ମୃତ ମହିଳାଙ୍କ ଭାଇ ପାଟଣା ଥାନାରେ ପହଞ୍ଚି ତାଙ୍କ ଭଉଣୀଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ମୌଖିକ ଅଭିଯୋଗ କରିଥିବାରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.