ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନାରେ କୃଷକ ମେଳା

ପାଟଣା : ସାହାରପଡା ବ୍ଲକର ରାଧାପୁର ଠାରେ ବ୍ଲକସ୍ତରୀୟ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ସାହାରପଡା କୃଷି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା କୃଷି ଅଧିକାରୀ ଦିନବନ୍ଧୁ ସାହୁ ସଭାପତିତ୍ବ କରିଥିଲେ। ବ୍ଲକ କୃଷି ଅଧିକାରୀ ସୁମନ୍ତ କୁମାର ନାଏକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ମୃତ୍ତିକା ରସାୟନବିତ ରବୀନ୍ଦ୍ର ସାହୁ ଯୋଗ ଦେଇ ମୃତ୍ତିକା ପରୀକ୍ଷା କରି ସେହି ଅନୁଯାୟୀ ସାର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। କୃଷି ବୈଜ୍ଞାନିକ ଡଃ ଏନ୍ ରାମୁ ଜମିର ପ୍ରକାର ଅନୁଯାୟୀ ଡାଲି ଜାତୀୟ ତଥା ଅନ୍ୟାନ୍ୟ ଫସଲ ଚାଷ କରିବାକୁ କହିଥିଲେ। ପ୍ରାଣୀ ଚିକିତ୍ସକ ଡ ପ୍ରଶାନ୍ତ ମହାନ୍ତ ଉପସ୍ଥିତ ରହି ପ୍ରାଣୀମାନଙ୍କୁ କିପରି ରୋଗରୁ ରକ୍ଷା କରାଯାଇ ପାରିବ ସେନେଇ ସୂଚନା ଦେଇଥିଲେ। ସେହିପରି ସମସ୍ତ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ କିପରି ଲାଭ ମିଳିପାରିବ ସେନେଇ ସୂଚନା ଦେଇଛନ୍ତି। କୃଷି ଅଧିକାରୀ ଅଜିତ କୁମାର ମଲିକ ବିହନ ବିତରଣ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ଚାଷିମାନଙ୍କୁ ପଞ୍ଜୀକରଣ କରିବାକୁ କହିଥିଲେ। ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୂରଜ ପ୍ରଧାନ, ଉଦ୍ୟାନ ବିଭାଗ ଅଧିକାରୀ ସସ୍ମିତା ନାୟକ, ଜିଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ ଓ ଚମ୍ପାବତୀ ଟୁଡୁ ପ୍ରମୁଖ ମାଛ ଚାଷ ଓ ପନିପରିବା ତଥା ଫୁଲ ଓ ଫଳ ଚାଷ ପାଇଁ ଆଗେଇ ଆସିବାକୁ କହିଥିଲେ। ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ ମାନେ କୃଷି, ପଶୁ ପାଳନ, ମତ୍ସ୍ୟ ଚାଷ ବିଷୟ ଚାଷିମାନଙ୍କୁ ସୂଚନା ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିନା ନାୟକ, ଉପାଧ୍ୟକ୍ଷା ଛବିରାଣୀ ସେଠୀ, ବିଡିଓ ଲମ୍ବୋଦର ଖୁଣ୍ଟିଆ, ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି କୃଷି ଭିତ୍ତିକ ଦିଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଅଞ୍ଚଳର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ବହୁ ଚାଷୀ ଯୋଗଦାନ କରିଥିଲେ। ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପରମିତା ଜେନା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମରେ ବ୍ଲକ କୃଷି ବିଭାଗ, ଉଦ୍ୟାନ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ୫ଶହରୁ ଉର୍ଦ୍ଧ୍ବ ଚାଷୀମାନେ ଯୋଗଦାନ କରିଥିଲେ।।

Comments are closed.