ଧାନ ବିକିବାକୁ ରାଜି ନହେବାରୁ ନାବାଳକ ପୁଅ ବାପର ମୁଣ୍ଡରେ ଶିଳ କଚାଡି ମାରିଲା

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନାବାଳକ ପୁଅ ନିଜ ବାପ ମୁଣ୍ଡରେ ଏକ ଶିଳକୁ ଟେକି କଚାଡି ଦେବାରୁ ବାପର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗ୍ରାମର ସୀତାରାମ ବେଣ୍ଟକାର (୪୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସୀତାରାମ ବେଣ୍ଟକାର ଓ ତାଙ୍କ ପୁଅ ପରମା ବେଣ୍ଟକାର (୧୭) ସହ ଗୁରୁବାର ଧାନ ବିକ୍ରି କରିବା କାରଣରୁ ପାଟିତୁଣ୍ଡ ହେବା ପରେ ଉଭୟ ଠେଲା ପେଲା ହୋଇଥିଲେ।

 

ସୀତାରାମ ତଳେ ପଡିଯିବାରୁ ପାଖରେ ଥିବା ଏକ ସିମେଣ୍ଟ ପାଇପ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା। ଠିକ ସେହି ସମୟରେ ପରମା ଏକ ଶିଳ କୁ ଟେକି ଆଣି ବାପା ସୀତାରାମଙ୍କ ମୁଣ୍ଡକୁ କଚାଡି ଦେବାରୁ ପ୍ରବଳ ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳ ରେ ସୀତାରାମ ଙ୍କ ର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ପୁଅ ପରମାକୁ ଧରି ଏକ ଗଛରେ ବାନ୍ଧି ଦେଇ ଥିଲେ ମଧ୍ୟ ସେ କୈାଶଳ କ୍ରମେ ସେଠାରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୁଅର ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏପରି ଘଟଣା ଘଟିଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ଶବକୁ ଜବତ କରି ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.