ଅବକାରୀ ବିଭାଗକୁ ଚଢାଉରେ ସହଯୋଗ କଲେ ମହିଳା ସରପଞ୍ଚ

ପାଟଣା : ଲକଡାଉନ ସମୟ ଚୋରା ମଦ ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କ ପାଇଁ ପୁଷମାସ ପାଲଟିଥିବା ବେଳେ ବୁଧବାର ପାଟଣା ଅବକାରୀ ବିଭାଗ ପକ୍ଷରୁ ସାହାରପଡା ବ୍ଲକର ରାଇଡିହା ଓ କେଶଡିହାରେ ଅବକାରୀ ଚଢାଉ କରାଯାଇଥିଲା। ତେବେ ରାଇଡିହା ପଞ୍ଚାୟତର ମହିଳା ସରପଞ୍ଚ ପାର୍ବତୀ ହୋ ଏବଂ ୪ ନମ୍ବର ୱାର୍ଡର ୱାର୍ଡ ମେମ୍ବର ନମିତା ମହାନ୍ତ ଚଢାଉରେ ଅବକାରୀ ବିଭାଗକୁ ସହଯୋଗ କରିଥିଲେ। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେବା ସହ ଅନ୍ୟ ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପାଟଣା ଅବକାରୀ ଥାନାଧିକାରୀ ଦିଲ୍ଲିପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ଚଢାଉ ସମୟରେ ରାଡିହାର ଭୀମସେନ ମୁଣ୍ଡା(୨୫) ଓ କେଶଡିହା ଗ୍ରାମର ମେଘରାୟ ମାଝୀ(୩୫)କୁ ଚୋରା ମଦ କାରବାର ମାମଲାରେ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୦୩ ଲିଟର ମହୁଲି ମଦ ଗବଦ କରାଯିବା ସହ ୧୩ ଶହ ୪୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ରାଇଡିହା, କେଶଡିହା ଓ ଚୁନୁ ସାହି ଇଲାକାରେ ଚୋରା ମଦଭାଟିରେ ଚଢାଉ ସମୟରେ ମଦ ତିଆରି ବହୁ ସରଂଜାମ ଅବକାରୀ ବିଭାଗ ଜବଦ କରିଛି ।

Comments are closed.