ପୋଇପାଣିରେ ନିଶା ହଟାଅ – ଗାଁ ବଞ୍ଚାଅ ଅଭିଯାନରେ ଗାଁ କମ୍ପିଲା

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ସହସ୍ରାଧିକ ମହିଳା ନିଶା ହଟାଅ – ଗାଁ ବଞ୍ଚାଅ ଅଭିଯାନରେ ଗ୍ରାମର ୮ଟି ସାହିରେ ମଦ ପ୍ରସ୍ତୁତି ବନ୍ଦ କରିବା, ମଦୁଆଙ୍କୁ ବିରୋଧ, ମଦ, ହାଣ୍ଡିଆ ଓ ରସି ବିକ୍ରି ବନ୍ଦ କରିବା ଦାବିରେ ବିଶାଳ ଶୋଭାଯାତ୍ରା କରି ଗାଁ କମ୍ପାଇଛନ୍ତି । ପୁଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତାରୁ ଗାଁରେ ମଦର ବନ୍ୟା ସୃଷ୍ଟି ହୋଇଥିବା ଓ ଏହା ଯାବତୀୟ ବିଶୃଙ୍ଖଳାର କାରଣ ପାଲଟିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି । ଗ୍ରାମର ଲାୟନ୍ସ କ୍ଲବ, ଚମ୍ପକେଶ୍ବର ଗୋଲ୍ଡଡେନ ଟାଇଗର କ୍ଲବ ସଦସ୍ୟ ସଦସ୍ୟାଙ୍କ ସହ ବୈତରଣୀ ସ୍ବୟଂ ସହାୟିକା ଗୋଷ୍ଠୀ, କେଦାର ଗୌରୀ, ମା ବୃନ୍ଦାବତୀ, ମା ମନସା, ଲକ୍ଷ୍ମୀ ନାରାୟଣ, ବିଶ୍ବ ମା କିଚେକଶ୍ବରୀ, ବାଣେଶ୍ବର, ଓଁ ଶାନ୍ତି, ମା ଅଞ୍ଜନା, ବିଶ୍ବ ମା ଗୋଜବାୟାଣୀ, ଶୁଭମ୍, ମା ବୃନ୍ଦାବତୀ, ଲକ୍ଷ୍ମୀବାଇ , ଶ୍ରୀଗଣେସ, ସୁରଭୀ, ଭାରତ, ମା ତାରିଣୀ, ମା ଶକ୍ତିମୟୀ, ଚମ୍ପକେଶ୍ବର, ଶ୍ରୀ ଦେବୀ, ମା ଶକ୍ତିମୟୀ, ମା ମଙ୍ଗଳା, ମା ବିଶୋଇପାଟ, ଝାନସୀରାଣୀ ଓ ମା ଦୁର୍ଗା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ୩୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ହଜାରେରୁ ଉର୍ଦ୍ଧ୍ବ ମହିଳା ହାତରେ ନିଶା ମୁକ୍ତି ସମ୍ବନ୍ଧୀୟ ପ୍ଲାକାର୍ଡ ଧରି ପୋଇପାଣି ଗ୍ରାମର ମୁଣ୍ଡା ସାହି, କାରୁଆ ସାହି, ପ୍ରଧାନ ସାହି, ମହାନ୍ତ ସାହି, ବଡବିଲ ସାହି, ନାୟକ ସାହି, ଭଣ୍ଡାରିପଶି ସାହି ଓ ବାଲି ସାହି ପରିକ୍ରମା କରିଥିଲେ । ପୋଇପାଣି ଗ୍ରାମରେ ପାଖାପାଖି ୩ହଜାର ଲୋକ ବସବାସ କରୁଥିବା ବେଳେ ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଆଜି ମହିଳାମାନଙ୍କର ଆନ୍ଦୋଳନ ପ୍ରଭାବ କେମିତି ପଡୁଛି ତାହା ଦେଖିବାକୁ ବାକି ରହିଲା ।

Comments are closed.