ଲଗାଣ ବର୍ଷା : ବାହ୍ୟଜଗତରୁ ପାଟଣା ବ୍ଲକ୍ ବିଚ୍ଛିନ୍ନ

ପାଟଣା : ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ମଧ୍ୟାହ୍ନରୁ ଆଜି ସକାଳ ଯାଏଁ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ବନ୍ୟା ସ୍ଥିତି ସୃଷ୍ଟି​‌ ହୋଇଛି। ପାଟଣା ନିକଟ ଉଚ୍ଚ ବୈତରଣୀ ସେତୁରେ ବୈତରଣୀ ନଦୀର ବନ୍ୟା ଜଳ ପିଟି ହେଉଥିବାରୁ ସେତୁ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ମୁମ୍ବଇ-କୋଲକାତା ରାସ୍ତା ୪୯ ନମ୍ୱର୍ ଜାତୀୟ ରାଜପଥର ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ନିଚ୍ଚା ବୈତରଣୀ ସେତୁ ଉପରେ ଆଜି ମଧ୍ୟାହ୍ନରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇଗଲାଣି । ଆଜି ଅପରାହ୍ନ ସୁଦ୍ଧା ତୁରୁମୁଙ୍ଗାରେ ବୈତରଣୀ ପୋଲ ଉପରେ ୫ଫୁଟ ପାଣି ଚାଲିବା ଆଶଙ୍କା ବଢ଼ିଯାଇଛି। ମଧ୍ୟାହ୍ନରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ଠପ୍ ପଡ଼ିଯାଇଛି।

ଅନ୍ୟପକ୍ଷରେ କେନ୍ଦେଇପଶି ମଧ୍ୟସ୍ଥ ଭୀମାପଡାଠାରେ ଥିବା କାନଝରୀ ସେତୁ ଉପରେ ଆଜି ସକାଳୁ ୪ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେବାରୁ ଏହି ରାସ୍ତାରେ ସାଧାରଣ ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିବା ସହ ଲୋକେ ଯାତାୟତ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। କୈାଣସି ଅଘଟଣ ନ ଘଟିବା ପାଇଁ ପାଟଣା ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ଜଗିରହି ପୋଲ ଉପରେ ଯାତାୟତ ନ କରିବାକୁ ଉପସ୍ଥିତ ଯାନବାହାନ ଚାଳକଙ୍କୁ ବାରଣ କରିଥିଲେ । ଗତରାତି କାନଝରୀ ଡ୍ୟାମରୁ ନଦୀ ମଧ୍ୟରୁ ଗୋଟିଏ ଗେଟ୍ ଖୋଲାଯାଇ ପାଣି ଛଡା ଯାଇଥିବାରୁ ଭୀମାପଡାରେ ଥିବା ପୁରୁଣା ନିଚ୍ଚା ସେତୁ ଉପରେ ପାଣି ଚାଲିଛି। ସେହିପରି ୨୨୦ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା – ଢେଙ୍କିକୋଟ ରାସ୍ତାର ମଙ୍ଗଳପୁର ନିକଟ ସ୍ୱାମ ଶିମୁଳି ନାଳ ଡାଇଭର୍ସନ୍ ଉପରେ ପାଣି ଚାଲିଥିବାରୁ ଢେଙ୍କିକୋଟ-ପାଟଣା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନ୍ୟପକ୍ଷରେ ଡୁମୁରିଆ – ଢେଙ୍କିକୋଟ ରାସ୍ତାର ନୂଆପଡ଼ା ନିକଟ ସୀତା ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା ବ୍ଲକ୍ ଅଞ୍ଚଳ ତିନି ଆଡୁ ଜଳ ଘେରା ବନ୍ଦୀ ମଧ୍ୟରେ ରହିଛି। ଏହାଛଡା ପାଟଣା ବ୍ଲକର ଅନ୍ୟାନ୍ୟ ଗ୍ରାମ୍ୟ ରାସ୍ତାରେ ମଧ୍ୟ ପାଣି ଚାଲିଥିବା ଦେଖାଯାଇଛି।

Comments are closed.