ହଜି ଯାଇଥିଲା ଏଟିଏମକାର୍ଡ, ୩ ଯୁବକ ଉଠାଇଲେ ୫୩ ହଜାର ଟଙ୍କା

ପାଟଣା: ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜାମୁଯୋଡି ପଞ୍ଚାୟତ ଆଟପୁର ସାହିର ବିସ୍ମୟ କୁମାର ସାହୁଙ୍କର ହରିଚନ୍ଦନପୁର ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଜମାଖାତା ଥିବା ବେଳେ ତାଙ୍କର ଏଟିଏମ କାର୍ଡ ମଧ୍ୟ ରହିଛି। ଗତ ୮ ତାରିଖ ଯାଏ ଶ୍ରୀ ସାହୁଙ୍କ ପକେଟରେ ଏଟିଏମ କାର୍ଡ ରହିଥିବା ବେଳେ ଗତକାଲି କେଉଁଠି କାର୍ଡଟି ଖସିପଡିଥିଲା। ଆଜି ପୂର୍ବାହ୍ନ ୮ ଘଟିକା ୪୭ ମିନିଟ ସମୟରେ କାଳିନ୍ଦୀ ହିରୋ ପ୍ରଦର୍ଶନ ଗୁହ ନିକଟରେ ଥିବା ଏଟିଏମରୁ ତାଙ୍କ ଜମାଖାତାରୁ ୫ ହଜାର ଟଙ୍କା ଉଠିଥିବା ଶ୍ରୀ ସାହୁଙ୍କ ମୋବାଇଲକୁ ବାର୍ତ୍ତା ଆସିବା ସହ ପରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ନିକଟ ଏଟିଏମରୁ ପର୍ଯ୍ୟାୟକ୍ରମେ ୪୭ ହଜାର ଟଙ୍କା ଉଠାଇ ନିଆଯାଇଥିବା ବାର୍ତ୍ତା ଆସିଥିଲା।

 

ଏଥିରେ ବିବ୍ରତ ହୋଇ ଶ୍ରୀ ସାହୁ ପକେଟରେ ଏଟିଏମ କାର୍ଡ ନ ଥିବା ଜାଣି କାଳିନ୍ଦୀ ହିରୋ ସିସିଟିଭି ଯାଞ୍ଚ କରିବାରୁ ଗୋଟିଏ ଟିଭିଏସ ଷ୍ଟାର ସିଟି ବାଇକରେ ଜଣେ ବାଳକ ସହ ଆଉ ୨ ଜଣ ଯୁବକ ଟଙ୍କା ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ ସ୍ଥାନୀୟ ଥାନା ଓ ବ୍ୟାଙ୍କକୁ ଜଣାଇଥିଲେ । ଏପରିକି ଏଟିଏମ କାର୍ଡ ପାଇଥିବା ଏହି ୩ ଜଣ ଦେଓବନ୍ଧ ସ୍ଥିତ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପାଇଁ ଏଟିଏମ କାର୍ଡ ସ୍ୱାଇପ କରି ୫ ଶହ ଟଙ୍କାରେ ପେଟ୍ରୋଲ ପକାଇଥିବା ମଧ୍ୟ ଶ୍ରୀ ସାହୁଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହିପରି ମୋଟରେ ଶ୍ରୀ ସାହୁଙ୍କ ଜମାଖାତାରୁ ୫୩ ହଜାର ଟଙ୍କା କଟିଥିବା ଜଣାପଡିଛି। ଜମାଖାତାରେ ସଞ୍ଚିତ ଅର୍ଥ ଫେରି ପାଇବାକୁ ଶ୍ରୀ ସାହୁ ପୁଲିସର ସାହାଯ୍ୟ ଲୋଡିଛନ୍ତି ।

Comments are closed.