ତୁରୁମୁଙ୍ଗା ବୈତରଣୀ ସେତୁ ନିକଟରେ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ନବ ବର ବଧୂ

ବଡ଼ବିଲରୁ ବଧୂ ନେଇ କଲକାତା ଫେରୁଥିବା ବେଳେ ଦୁର୍ଘଟଣା

ପାଟଣା :  ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବରବଧୂ । ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ସେତୁ ପ୍ରବେଶ ପଥ ନିକଟରେ ଚାଳକର ଆଖି ଲାଗିଯିବାରୁ ବଡ଼ବିଲରୁ ନବ ବଧୂକୁ ଧରି କଲକାତା ଫେରୁଥିବା ଏକ କାର ଓଲଟିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। କାରଟି ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ବର ବଧୂ ଓ କାର ଚାଳକଙ୍କ ସମେତ ଚାରି ଜଣ  ସୁରକ୍ଷିତ ଅଛନ୍ତି।
କଲକାତାରୁ ବର ହୋଇ ଆସିଥିବା ମହମ୍ମଦ ୟାସିମ ନାମକ ଜଣେ ଯୁବକ ବଡ଼ବିଲର ତାଇବା ପର୍ବିନଙ୍କୁ ବିବାହ କରି ଆଜି କଲକାତା ଫେରୁଥିବା ବେଳେ କାର ଚାଳକର ଆଖି ଲାଗିଯିବାରୁ ତୁରୁମୁଙ୍ଗା ବୈତରଣୀ ସେତୁ ପ୍ରବେଶ ପଥ ସୁରକ୍ଷା ବାଡ଼ାରେ ବାଡେଇ ହେଇ କାରଟି ଓଲଟି ପଡିଥିଲା। ଖବର ପାଇ ତୁରୁମୁଙ୍ଗା ଥାନା ଆରକ୍ଷୀ ଉପନୀରିକ୍ଷକ ସୁଶାନ୍ତ ମଣି ମହାନ୍ତ ଓ ଆରକ୍ଷୀ ସହକାରୀ ଉପନୀରିକ୍ଷକ ବିଜୟ କୁମାର ଖଟୁଆ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛନ୍ତି। ଗାଡିରେ ବର ଓ ନବ ବଧୂ ଥିବାରୁ ସେମାନଙ୍କୁ ଅଲଗା ଗାଡ଼ି କରି କଲକାତା ପଠାଇବାକୁ ତୁରୁମୁଙ୍ଗା ଥାନା ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

Comments are closed.