ଟଙ୍କା ପାଇଁ ରୋଗୀକୁ ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

ଚେନ୍ନଇ: ମାତ୍ର କିଛି ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ଜଣେ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ ମେ ୨୩ରେ ଚେନ୍ନଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରୁ ସୁମିତା (୪୧) ନିଖୋଜ ହୋଇଯାଇଥିଲେ। ଅନୁସନ୍ଧାନ ପରେ ତାଙ୍କ ସ୍ୱାମୀ ମୌଲି ମେ ୩୧ରେ ପୁଲିସରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଡାକ୍ତରଖାନା କର୍ମଚାରୀମାନେ ସରକାରୀ ଡାକ୍ତରଖାନା କମ୍ପ୍ଲେକ୍ସର ଟାୱାର ୩ର ଅଷ୍ଟମ ମହଲାରେ ଏକ ମୃତଦେହ ପାଇଥିଲେ। ମୃତଦେହକୁ ଶବଗୃହକୁ ସ୍ଥାନାନ୍ତର କରିବା ପରେ ପୁଲିସ ମୌଲିଙ୍କୁ ମୃତଦେହଟି ତାଙ୍କ ପତ୍ନୀଙ୍କର କି ନାହିଁ ଚିହ୍ନଟ କରିବାକୁ ଡାକିଥିଲେ। ମୃତଦେହରେ ଥିବା ପୋଷାକକୁ ଦେଖି ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ମୌଲି ଚିହ୍ନଟ କରିଥିଲେ।

ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ ତଦନ୍ତ କରିବା ପରେ ହତ୍ୟାକାରୀ ଡାକ୍ତରଖାନାର ଚୁକ୍ତିଭିତ୍ତିକ କର୍ମଚାରୀ ରାଧାଦେବୀ ବୋଲି ଜଣାପଡିଥିଲା। ସୁମିତାଙ୍କ ପାଖରେ ୯,୫୦୦ଟଙ୍କା ଥିବା ଜାଣି ଚୋରି କରିବା ପାଇଁ ସେ ସୁମିତାଙ୍କୁ ହତ୍ୟା କରିଥିଲେ। ସିଟି ସ୍କାନ ହେବାର ଅଛି ବୋଲି କହି ହ୍ୱିଲ ଚେୟାରରେ ରାଧାଦେବୀ ସୁମିତାଙ୍କୁ ଲିଫ୍ଟ ବ୍ୟବହାର କରି ୮ମ ମହଲାକୁ ନେଇଥିଲେ। ସେଠାରେ ଲିଫ୍ଟରୁ ବାହାରିବା ପୂର୍ବରୁ ସେ ସୁମିତାଙ୍କ ଗଳା କାଟି ହତ୍ୟା କରିଥିଲେ। ହତ୍ୟା ପରେ ସୁମିତାଙ୍କ କେବିନକୁ ଆସି ୯,୫୦୦ଟଙ୍କା ଏବଂ ଫୋନ ନେଇ ଫେରାର ହୋଯାଇଥିଲେ ରାଧାଦେବୀ। ପ୍ରକୃତ ଘଟଣା ଜଣାପଡିବା ପରେ ଏବେ ରାଧାଦେବୀଙ୍କୁ ପୁଲିସ ଗିରଫ କରିଛି।

Comments
Loading...