ଜାରି ହେଲାନି ମୃତ୍ୟୁ ପରୱାନା, ଅଦାଲତରେ କାନ୍ଦିଲେ ନିର୍ଭୟାର ମାଆ

ପୱନକୁ ନୂଆ ଓକିଲ ଯୋଗାଇ ଦେବାକୁ ନିର୍ଦେଶ

ନୂଆଦିଲ୍ଲୀ  : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ ପୀଡିତାଙ୍କ ମା’ ଆଶା ଦେବୀ ଅଦାଲତ ପରିସର ବାହାରେ କାନ୍ଦିପକାଇଥିଲେ। ମାମଲାର ୪ ଦୋଷୀଙ୍କ ବିରୋଧରେ ପୁନର୍ବାର ମୃତ୍ୟୁ ପରୱାନା ଜାରି ଲାଗି ନିର୍ଭୟାଙ୍କ ପିତାମାତା କରିଥିବା ଆବେଦନ ଉପରେ ବୁଧବାର ଶୁଣାଣି କରାଯାଇଥିଲା। ଶୁଣାଣି ବେଳେ ପତିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ମୃତ୍ୟୁ ପରୱାନା ଜାରି ପରିବର୍ତ୍ତେ ଅନ୍ୟତମ ଦୋଷୀ ପୱନ ଗୁପ୍ତାକୁ ଆଇନଗତ ସହାୟତା ଯୋଗାଇ ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅଦାଲତଙ୍କ ଏପରି ରାୟ ପରେ ଆଶା ଦେବୀ କାନ୍ଦି ପକାଇଥିଲେ। ନିର୍ଭୟାଙ୍କ ମା’ କହିଥିଲେ ଦୋଷୀମାନେ ମୃତ୍ୟୁଦଣ୍ଡ କାର୍ଯ୍ୟକାରିତାକୁ ଜାଣିଶୁଣି ବିଳମ୍ବ କରୁଛନ୍ତି। ନ୍ୟାୟ ପାଇବା ପାଇଁ ଆମେ ୮ବର୍ଷ ହେଲା ଲଢେଇ କରିଚାଲିଛୁ। ଏବେ ଆମେ ସମସ୍ତ ଆଶା ଓ ବିଶ୍ବାସ ହରାଇବସିଛୁ। ଦୋଷୀମାନଙ୍କ କୌଶଳକୁ ଅଦାଲତ ବୁଝିବା ଦରକାର। ଦୋଷୀ ପୱନକୁ ନୂଆ ଓକିଲ ଯୋଗାଇ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ନୂଆ ଓକିଲ ଏବେ ମାମଲାକୁ ଅନୁଧ୍ୟାନ ଲାଗି ସମୟ ଲୋଡିବେ। ଫଳରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରିତା ଆହୁରି ବିଳମ୍ବ ହେବ।

ଏହା ପୂର୍ବରୁ ବିଚାରପତିଙ୍କ ସମ୍ମୁଖରେ ଆଶା ଦେବୀ କହିଥିଲେ। ‘ମୋର କଣ ଅଧିକାର ରହିଛି? ମୁଁ ହାତ ଯୋଡି ନେହୁରା ହେଉଛି ​‌େ​‌ଯ ମୃତ୍ୟୁ ପରୱାନା ଜାରି କରାଯାଉ। ମୁଁ ଜଣେ ମଣିଷ। ୭ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ମୁଁ ନ୍ୟାୟ ପାଇପାରୁ ନାହିଁ।’ ଉତ୍ତରରେ ବିଚାରପତି କହିଥିଲେ ‘ତୁମର ଅଧିକାର ରହିଛି ତେଣୁ ଆମେ ତୁମ କଥା ଶୁଣୁଛୁ।’ ଏହା ସହିତ ଦୋଷୀଙ୍କ ଦ୍ବାରା ଆପଣାଯାଉଥିବା ବିଳମ୍ବିତ ପ୍ରକ୍ରିୟାକୁ ନେଇ ବିଚାରପତି ଅସନ୍ତୋଷ ପ୍ରକାଶ କରିଥିଲେ। ଶୁଣାଣି ବେଳେ ଦୋଷୀ ପୱନ ତାର ଓକିଲକୁ ହଟାଇ ଦେଇଥିବାରୁ ନୂଆ ଓକିଲ ନିଯୁକ୍ତି ଲାଗି ସମୟ ଲୋଡିଥିଲା। ପୱନର ଆବେଦନ ଆଧାରରେ ନୂଆ ଓକିଲ ନିଯୁକ୍ତି ପାଇଁ ଅଦାଲତ ଅନୁମତି ଦେଇଛନ୍ତି। ଏହା ସହିତ ଜିଲା ନ୍ୟାୟିକ ସେବା କର୍ତ୍ତୃପକ୍ଷ (ଡିଏଲଏସଏ) ପକ୍ଷରୁ ପୱନର ପିତାକୁ ଓକିଲଙ୍କ ତାଲିକା ଦିଆଯାଇଛି। ତାଲିକା ଦେଖି ସେମାନେ ନିଜ ପାଇଁ ଓକିଲ ନିଯୁକ୍ତ କରିବେ। ୪ ଦୋଷୀଙ୍କ ମଧ୍ୟରୁ କେବଳ ପୱନର ପୁନର୍ବିଚାର ଆବେଦନ ଓ ରାଜକ୍ଷମା ଆବେଦନ କରିବାକୁ ବାକି ରହିଥିବାବେଳେ ଅନ୍ୟ ୩ଜଣଙ୍କର ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି। ଆଜିର ଶୁଣାଣି ବେଳେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟରେ ଦୋଷୀଙ୍କ ପକ୍ଷରୁ କୌଣସି ପ୍ରକାର ନ୍ୟାୟିକ ଆବେଦନ କରାଯାଇ ନଥିବା କହିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ୭ଦିନିଆ ଅବଧି ମଧ୍ୟରେ କୌଣସି ପ୍ରକାର ନ୍ୟାୟିକ ସୁବିଧା ନିଆଯାଇ ନାହିଁ।

Comments are closed.