ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ ଓ ଗ୍ରହ ସମାବେଶ

ମେ’ ୨୫ ପର୍ଯ୍ୟନ୍ତ ସବୁ ରାତିରେ ଖାଲି ଆଖିରେ ଦେଖାଯିବ ୫ଟି ଗ୍ରହ

ଭୁବନେଶ୍ୱର: ପୃଥିବୀରେ ଦେଖିବାକୁ ମିଳିବ ଗ୍ରହ ସମାବେଶ। ସବୁ ରାତିରେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ। ଏପରିକି ଏହି ସମୟରେ ବିରଳ ବୁଧ ଗ୍ରହକୁ ମଧ୍ୟ ଦେଖିହେବ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ-ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଦେଖାଯିବ। ଏହି ୫ଟି ଗ୍ରହ ମେ’ ୨୫ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ। ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ, ଯାହାକୁ ଖାଲି ଆଖିରେ ଦେଖିହେବ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ଖାଲି ଆଖିରେ ଦେଖିହେବ। ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହା ପଛରେ ରହିଥିବା କାରଣଗୁଡ଼ି ଜାଣିବା ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ତରଫରୁ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମେ’ ୧୮ରୁ୨୧ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ରୁ୭ଟା ପର୍ଯ୍ୟନ୍ତ ଅନ୍‍ଲାଇନ୍‍ରେ ଗ୍ରହଗୁଡ଼ିକ ଚିହ୍ନାଇବାର ବ୍ୟବସ୍ଥା କରାଯାଇଛି ବୋଲି ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।

 

pic courtesy TripAdvisor

ପଠାଣି ସାମନ୍ତ ପ୍ଲାନେଟାରିୟମ୍‍ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ୨୦୨୧ ମେ’ ୨୫ ତାରିଖ ପର୍ଯ୍ୟନ୍ତ ସବୁ ରାତିରେ ୫ଟି ଗ୍ରହକୁ ଆମେ ଖାଲି ଆଖିରେ ଦେଖିପାରିବା। ଇଂରାଜୀରେ ଏହାକୁ ‘ପ୍ଲାନେଟ୍‍ ପରେଡ୍‍’ କୁହାଯାଏ। ଆମେ ଏହାକୁ ଗ୍ରହ ସମାବେଶ କହିପାରିବ। ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞାନାହିଁ, କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହ୍ୟତ ହେଉଛି, ଯାହା ଏକ ବିରଳ ମହକାଶୀୟ ଘଟଣା ସୂଚାଇଥାଏ।
ଆମେ ଜାଣିଛେ ଯେ ସୂର୍ଯ୍ୟ ଚାରିପଟେ ୮ଠି ଗ୍ରହ ବୁଲୁଛନ୍ତି। ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡ଼ି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ। ସାଧାରଣତଃ ବୁଧ ଗ୍ରହ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ଗତ ଦୁଇଦିନ ଧରି ଭୁବନେଶ୍ୱର ଆକାଶରେ ବୁଧଗ୍ରହ ଏକ ଘଣ୍ଟା ଧରି ଖୁବ୍‍ ଉଜ୍ଜଳ ଦେଖାଯାଇଥିଲା। ଆସନ୍ତା ଏକ ସପ୍ତାହ ଧରି ସୂର୍ଯ୍ୟାସ୍ତ ପରେ ପରେ ବୁଧ ଗ୍ରହ ପଶ୍ଚିମ ଦିଗବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଦେଖାଯାଇ ପ୍ରାୟ ଏକ ଘଣ୍ଟା ପରେ ଅସ୍ତ ହେବ। ସେହି ସମୟରେ ବୁଧ ଗ୍ରହ ତଳକୁ ପଶ୍ଚିମ ଦିଗବଳୟର ନିକଟରେ ଉଜ୍ଜଳ ଶୁକ୍ର ଗ୍ରହ ଏବଂ ମୁଣ୍ଡ ଉପରକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହକୁ ଦେଖିହେବ। ସେହିପରି ଶନି ମଧ୍ୟ ରାତିବେଳକୁ ଓ ବୃହସ୍ପତ୍ତି ରାତି ଗୋଟାଏ ବେଳେ ପୂର୍ବରେ ଉଦୟ ହୋଇ ସାରା ରାତି ଦେଖାଯିବ।

Comments are closed.