‘ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ’

ବର୍ଷକୁ ଏକ ହଜାର ଜାଗାରେ ଏକ ଲକ୍ଷ ଗ୍ରହାଣୁ ଖୋଜିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୈଜ୍ଞାନିକ

ଭୁବନେଶ୍ବର: ‘ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ’ ଏଭଳି ଏକ ଭୟାନକ କଥା ସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଲୋକମାନେ ଭୟଭୀତ ହେବା ସହ ସେମାନଙ୍କ ମନରେ ସ୍ବତଃ ପ୍ରଶ୍ନ ଆସୁଛି କି ପ୍ରକୃତରେ କ’ଣ ଏପରି ଘଟିବ, ପୃଥିବୀ କ’ଣ ଗ୍ରହାଣୁ ଧକ୍କାରେ ଦିନେ ନଷ୍ଟ ହୋଇଯିବ, ଇତ୍ୟାଦି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ତେଣୁ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଗ୍ରହାଣୁ ଧକ୍କା ଦ୍ବାରା ପୃଥିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ଅବଗତ କରାଇବା ସହ ଏହି ବିପଦ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।
ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ୧୯୦୮ ମସିହାରେ ଅର୍ଥାତ ୧୧୩ ବର୍ଷ ତଳେ ଏହି ଦିନ ରୁଷୀୟ ଦେଶର ସାଇବେରିଆ ଅଞ୍ଚଳର ଥିବା ତୁଙ୍ଗାସ୍କା ନଦୀ ନିକଟରେ ଏକ ଗ୍ରହାଣୁ ଖସିଥିଲା। ଫଳରେ ସେଠାରେ ପ୍ରାୟ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ ଗଛ ଓ ଅନେକ ପଶୁ ପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ। ଏହା ଜଙ୍ଗଲ ଅଞ୍ଚଳରେ ପଡିଥିବାରୁ ସେତେବେଳ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନାହିଁ; କିନ୍ତୁ ଆଖପାଖରେ ରହୁଥିବା ଅଞ୍ଚଳର ଲୋକମାନେ ଭୟଙ୍କର ଶବ୍ଦ ଶୁଣିଥିଲେ ଓ ଭୁପୃଷ୍ଠ ଥରିଉଠିଥିବାର ଅନୁଭବ କରିଥିଲେ। ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହାକି ଭୁବନେଶ୍ବର ସହର ଠାରୁ ୧୫ ଗୁଣ ଓ ମୁମ୍ବାଇ ମହାନଗର ଠାରୁ ୩ ଗୁଣ ବଡ ଅଟେ। ଅନୁମାନ କରନ୍ତୁ, ଏଭଳି ଏକ ଗ୍ରହାଣୁ ଯଦି ମୁମ୍ବାଇ ମହାନଗର ଉପରେ ଖସିବ ତେବେ ନିମିଷକ ମଧ୍ୟରେ ମହାନଗରଟି ଧ୍ବଂସ ପାଇବା ସହ ଏଠାରେ ବସବାସ କରୁଥିବା ୨୦ ଲକ୍ଷରୁ ଅଧିକ ଲୋକ କ୍ଷଣକ ମଧ୍ୟରେ ମରିଯିବେ। ଭବିଷ୍ୟତରେ ଏଭଳି ଘଟଣା ଯେ ନ ଘଟିବ ତାହା କେହି କହିପାରିବେ ନହିଁ। ତେବେ ଏବିଷୟରେ ଭୟଭୀତ ନହୋଇ କିପରି ଏହା ଘଟିବ ନାହିଁ ବା ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ ସେଥିପାଇଁ ଏବେଠାରୁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ଏଭଳି ଗ୍ରହାଣୁ ମାନଙ୍କୁ ଠାବ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଲେଣି ବୋଲି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।


ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ତୁଙ୍ଗାସ୍କା ଅଞ୍ଚଳରେ ଏକ ବିରାଟ ଧ୍ବଂସଲୀଳା ଘଟାଇଥିଲା ମାତ୍ର ୨୦୦ ଫୁଟ ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଆ ପିଣ୍ଡ ବା ଗ୍ରହାଣୁ। ସଙ୍ଘାତରୁ ଉତ୍ପନ୍ନ ହୋଇଥିବା ଏହି ଶକ୍ତି ହିରୋସୀମାରେ ପଡିଥିବା ପରମାଣୁ ବୋମାର ଶକ୍ତି ଠାରୁ ପ୍ରାୟ ୧୦୦୦ ଗୁଣ ଅଧିକ ବୋଲି ଆକଳନ କରାଯାଇଛି । ସାଧାରଣତଃ ଗ୍ରହାଣୁ ପଡିବା ଅଞ୍ଚଳରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥାଏ; କିନ୍ତୁ ଅନେକ ସମୟରେ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ଗ୍ରହାଣୁ ଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥାଏ। ଅନେକ ବର୍ଷ ତଳେ ଡାଇନୋସର ଗୁଡିକ ଏଭଳି ଏକ ଗ୍ରହାଣୁ ଧକ୍କା ଫଳରେ ଲୋପ ପାଇଯାଇଥିଲେ ଓ ପୃଥିବୀରେ ଶୀତଳ ଯୁଗ ଆସିଥିବାର ଅନୁମାନ କରାଯାଏ।
ଭାରତର ମହାରାଷ୍ଟ୍ର ଠାରେ ଥିବା ଲୋନା ସରୋବର ମଧ୍ୟ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଛି। କିଏ ଜାଣେ, ଗୋଟିଏ ବଡ ଗ୍ରହାଣୁ ଧକ୍କା ରେ ପୃଥିବୀରୁ ଜୀବ ସତ୍ତା ଲୋପ ପାଇଯାଇପାରେ। ଏଭଳି ଏକ ସମ୍ଭାବ୍ୟ ଦୁର୍ଘଟଣାରୁ କିପରି ପୃଥିବୀକୁ ରକ୍ଷା କରାଯାଇପାରିବ ସେଥିପାଇଁ ଏବେଠାରୁ ଅନେକ ଦେଶର ବୈଜ୍ଞାନିକମାନେ ମିଳିତ ଭାବରେ କାର୍ୟ୍ୟ ଆରମ୍ଭ କଲେଣି। ଆମେ ଜାଣିଛେ ଯେ ଗ୍ରହାଣୁ ଗୁଡିକ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ୧ ମିଟରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ୟ୍ୟନ୍ତ ହୋଇଥାଏ। ସବୁଠାରୁ ବଡ ପିଣ୍ଡ ସେରେସର ବ୍ୟାସ ପ୍ରାୟ ୧୦୦୦ କିଲୋମିଟର ଓ ଏହାକୁ ଆମେ ଏବେ ବାମନ ଗ୍ରହ ଭାବରେ ନାମିତ କରିଛୁ। ଲକ୍ଷ ଲକ୍ଷ ସଂଖ୍ୟା ରେ ରହିଥିବା ଏହି ପିଣ୍ଡ ଗୁଡିକ ବେଳେବେଳେ ପୃଥିବୀ ର ମଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେଗୁଡିକ ମଧ୍ୟରୁ ୯୯ ପ୍ରତିଶତ ବାୟୁ ମଣ୍ଡଳରେ ପ୍ରବେଶ କରିବା ସହ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ପୋଡି ପାଉଁଶ ହୋଇଯାଇଥାଏ। ଯେଉଁ ଅଳ୍ପ କେତୋଟି ପୃଥିବୀ ପୃଷ୍ଠରେ ପଡିବାର ସମ୍ଭାବନା ରହିଛି ତାହା ବିପୁଳ କ୍ଷୟ କ୍ଷତି କରିପାରେ। ତେଣୁ ଅନେକ ଦେଶର ବୈଜ୍ଞାନିକ ମାନେ ଜାତିସଂଘ ଦ୍ବାରା ମିଳିତ ଭାବରେ ପୃଥିବୀ ନିକଟରେ ରହିଥିବା ସମ୍ଭାବ୍ୟ ପିଣ୍ଡଗୁଡିକୁ ଖୋଜି ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ଶହ ସେଗୁଡିକର ଗତିପଥ ନିର୍ଣ୍ଣୟ କରିବା କାର୍ଯ୍ୟ ଆରମ୍ଭ କଲେଣି। ବିଗତ ଦିନ ମାନଙ୍କରେ ବର୍ଷକୁ ହାରାହାରି ୧୦୦୦ଟି ନୂଆ ଗ୍ରହାଣୁ ଖୋଜାଯାଉଥିଲା। କିନ୍ତୁ ଗତବର୍ଷ ଠାରୁ ଏହି କାର୍ଯ୍ୟ ପାଇଁ ୨୨ହଜାରରୁ ଅଧିକ ବୈଜ୍ଞାନିକ ତଥା ସାଧାରଣ ନାଗରିକ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ ଦାଖଲ କରିଛନ୍ତି। ଆସନ୍ତା ବର୍ଷ ମାନଙ୍କରେ ନୂଆ ଗ୍ରହାଣୁର ଅନୁସନ୍ଧାନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ଓ ବର୍ଷକୁ ଏକ ହଜାର ଜାଗାରେ ଏକ ଲକ୍ଷ ଗ୍ରହାଣୁ ଖୋଜିବା ପାଇଁ ଲକ୍ଷ୍ୟ ରଖି କାର୍ୟ୍ୟ ଆରମ୍ଭ କରାଗଲାଣି। ଭାରତରେ ମଧ୍ୟ କେତେକ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଥିରେ ନିଜକୁ ନିୟୋଜିତ କରିଛନ୍ତି। ବର୍ତ୍ତମାନ ସୁଧା ପ୍ରାୟ ୨ ହଜାର ଏପରି ପିଣ୍ଡ ମାନ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି।

ବୈଜ୍ଞାନିକ ମାନେ ବିଭିନ୍ନ ଉପାୟ ମାନ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯେପରିକି ଏହି ପିଣ୍ଡ ଗୁଡିକୁ ମହାକାଶରେ ଧ୍ବଂସ କରାଯାଇପାରିବ ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥିବୀ କକ୍ଷ ପଥରୁ ଦୁରାଇଦିଆଯିବ ଇତ୍ୟାଦି ଅନେକ ପ୍ରକାରର ଉପାୟ ମାନ ଚିନ୍ତା କରୁଛନ୍ତି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ
ଡ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments
Loading...