ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଦ୍ୱିପାକ୍ଷିକ ଚୁକ୍ତିକୁ ବେଖାତିର; ପିଚୁ ଢଳେଇ ପକାଇଲା ଆନ୍ଧ୍ର

ପଟାଙ୍ଗି : ଓଡ଼ିଶା ଓ ଆନ୍ଧ୍ର ସୀମା ବିବାଦ ଧମିବାର ନାଁ ନେଉନି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ଅଧୀନ ସୁନାବେଡା ଗାଁ ସୀମା ଚିହ୍ନଟ ନିମନ୍ତେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ଆନ୍ଧ୍ର ପକ୍ଷରୁ ବେଖାତିର କରି ପିଚୁ ଢଳେଇ ପକାଯାଇଥିବା ଦେଖିବାକୁ ମିଳିଛି। ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ଅଧୀନ ସୁନାବେଡା ଓ ଜାମଗୁଡା ଗ୍ରାମ ସୀମାନ୍ତରେ ରହିଛି।
ପଡୋଶୀ ଆନ୍ଧ୍ର ବିଶାଖପାଟଣାମ୍‍ ଜିଲା ଡୁମୁରିଗୁଡା ବ୍ଲକର ଅନ୍ତର୍ଗତ କୁସପୁଟ, ନିଟାମ୍ବ, ଡେକାପାର, ବଡଲାମ ଓ କାର୍ଲାପୁଟ ଗ୍ରାମବାସୀ ଦୀର୍ଘ ବର୍ଷରୁ ସୁନାବେଡା ଓ ଜାମଗୁଡା ଗ୍ରାମ ସୀମାନ୍ତରେ ଚାଷ ଜମି, ପାହାଡ, ଜଙ୍ଗଲ ସହ ରାସ୍ତାକୁ ଜବରଦଖଲ କରି ନିଜ ଦାଦାଗିରି ବଜାୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଯାଏଁ କୌଣସି ଆଖିଦୃଶିଆ କଠୋର ପଦକ୍ଷେପ ନିଆଯାଉ ନ ଥିବାରୁ ସୀମାନ୍ତବାସୀ ବାରମ୍ବାର ଆନ୍ଧ୍ର ପଡୋଶିଆଙ୍କ ସହ ଲଢେଇ କରି ଅଶାନ୍ତିରେ କାଳାତିପାତ କରିବା ଅପେକ୍ଷା ଆନ୍ଧ୍ରରେ ମିଶିଯିବା ଭଲ ବୋଲି ସୁନାବେଡା ୱାର୍ଡସଭ୍ୟ ମୁସୁରୀ ତାଉଡୁ ପ୍ରକାଶ କରିଛନ୍ତି।
ଉଭୟ ରାଜ୍ୟର ସୀମାନ୍ତରେ ପଡୋଶୀ ଗ୍ରାମବାସୀଙ୍କ ମଧ୍ୟରେ ଚାଷ ଜମି, ଡଙ୍ଗର ପାହାଡ ଓ ରାସ୍ତା ଜବରଦଖଲ ସମସ୍ୟା ଦୀର୍ଘ ଦିନ ହେଲା ଚାଲି ଆସିଛି। ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ସହ ଉତ୍ତେଜନା ଲାଗି ରହିଛି। ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବସ୍ତରୀୟ ଆଲୋଚନା ଯୋଗୁଁ ଗତ ୩ ତାରିଖରେ ଉଭୟ ରାଜ୍ୟ ପ୍ରଶାସନର ଉପସ୍ଥିତିରେ ସୁନାବେଡାରେ ଏକ ମିଳିତ କ୍ରିୟାନୁଷ୍ଠାନ ବୈଠକ ନିଷ୍ପତ୍ତି ପ୍ରକାରେ ସୀମାନ୍ତ ଚିହ୍ନଟ କାର୍ଯ୍ୟ ପାଇଁ ଚୁକ୍ତି ହୋଇଥିଲା। ଆନ୍ଧ୍ର ପ୍ରଶାସନ ଏହାକୁ ବିଭିନ୍ନ ବାହାନା ଦେଖାଇ ସୀମାନ୍ତ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରି ନ ଥିବାବେଳେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବ୍ରହ୍ମପୁର କାର୍ଯ୍ୟାଳୟ ସେଟେଲମେଣ୍ଟ କର୍ମଚାରୀ ତିନି ଜଣିଆ ଦଳ ଦ୍ୱାରା ୪ଟି ପର୍ଯ୍ୟାୟରେ ୧୯୬୩ ମସିହା ଓଡିଶା ମାଡ୍ରାସ ପ୍ରେସିଡେନ୍ସି ପ୍ରକାରେ ସର୍ଭେ ସରିଛି।
ଓଡ଼ିଶା ପକ୍ଷରୁ ଏକତରଫା ସର୍ଭେ ସରିଥିବାବେଳେ ଆନ୍ଧ୍ର ପକ୍ଷରୁ ଏହାକୁ ଭ୍ରୁକ୍ଷେପ ନ କରି ଆଜି ଭୋରରୁ ସୀମାନ୍ତକୁ ଅତିକ୍ରାନ୍ତ କରି ପ୍ରାୟ ୧୦ ମିଟରରୁ ଊର୍ଦ୍ଧ୍ବ ରାସ୍ତାକୁ ଜୋରଜବରଦସ୍ତ ପିଚୁ ଦେଇ ମରାମତି କରାଯାଇଛି।
ଏ ସମ୍ପର୍କରେ ଗ୍ରାମବାସୀ ଜିଲା ପ୍ରଶାସନ ସହ ପଟାଙ୍ଗି ତହସିଲରେ ଖବର ଦେଇଥିଲେ। ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳଙ୍କ ନିର୍ଦେଶକର୍ମେ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ବରିଷ୍ଠ ରାଜସ୍ୱ ସହାୟକ ଭାସ୍କର ଡାକୁଆ, ସମ୍ବାଇ ରାଜସ୍ୱ ନିରୀକ୍ଷକ ଶୋଭା ହରିଜନ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶ କରି ଫେରିଛନ୍ତି। ଆନ୍ଧ୍ର ପାର୍ଶ୍ବରୁ ସୀମାନ୍ତ ୫ଖଣ୍ଡ ଗ୍ରାମବାସୀ ଓଡ଼ିଶା ପାର୍ଶ୍ବକୁ ଜବରଦଖଲ କରି ପଥରଡୁମା କରି ଚୂନ ମାରିଥିବା ଯାଏଁ ରାତାରାତି ପିଚୁ କରି ଆନ୍ଧ୍ର ପ୍ରଦେଶ ରାସ୍ତା ନିର୍ମାଣ କରୁଛି। ଆନ୍ଧ୍ର ପ୍ରଥମରୁ ହିଁ ଅସହଯୋଗ କରିଆସୁଥିଲେ ହେଁ ଜିଲା ପ୍ରଶାସନ ତଥା ସରକାର କୌଣସି ଉପଯୁକ୍ତ ପଦକ୍ଷେପ ନ ନେଇ ସହଯୋଗର ବାର୍ତ୍ତା ଦେଉଥିବାରୁ ଆନ୍ଧ୍ର ଦାଦାଗିରି କରିଚାଲିଛି ବୋଲି ସୁନାବେଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.