ବାଲି ଚୋରା ଚାଲାଣକୁ ବିରୋଧ କରିବାରୁ ନିଆଁ ପାଣି ମନା

- ସାମାଜିକ ବାସନ୍ଦର ଶୀକାର ପୁଲିସର ଦ୍ୱାରସ୍ଥ

ପାଟଣାଗଡ: ପାଟଣାଗଡ ବ୍ଲକ ଦେଉଳଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚୋରା ଚାଲଣକୁ ବିରୋଧ କରିବାରୁ ତାଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ସହ ନିଆଁ ପାଣି ମନା ହୋଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଜନସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ଚୋରା ବାଲି ଚାଲଣକୁ କେନ୍ଦ୍ର କରି ନିକଟ ଅତୀତରେ ବ୍ଲକର ବିଲେଇସାଥି ଗ୍ରାମରେ ଏକ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ବେଳେ ଚୋରା ବାଲି ଚାଲଣକୁ ନେଇ ବ୍ଲକର ଅନ୍ୟ କେତେକ ଗ୍ରାମରେ ଅପ୍ରୀତିକର ଘଟଣା ସୃଷ୍ଟି ହୋଇପାରେ ବୋଲି ସମାଜ ପକ୍ଷରୁ ପ୍ରକାଶିତ ହୋଇଥିବା ଆଶଙ୍କା ସତ୍ୟ ପ୍ରମାଣିତ ହୋଇଥିବା ଆଲୋଚନା ଜୋର ଧରିବାରେ ଲାଗିଛି।

ପ୍ରକାଶ ଯେ, ଘୁନଘୁଟିପାଲି ଗ୍ରାମର କୃଷ୍ଣଚନ୍ଦ୍ର ବଞ୍ଛୋର ନିଜ ଗ୍ରାମ ଅନ୍ତର୍ଗତ ସୁବର୍ଣ୍ଣରେଖା(ସୁକତେଲ) ନଦୀରୁ ପ୍ରତିଦିନ ଶହ ଶହ ସଂଖ୍ୟକ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଗତ ୧୭.୧୧.୨୦୧୪, ୧୦.୨.୨୦୧୬, ୨୮.୧୧.୨୦୧୭ ତାରିଖ ମାନଙ୍କରେ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ଗତ ୧୨.୦୫.୨୦୨୦ ଦିନ ମଧ୍ୟ ସେ ତହସିଲଦାରଙ୍କୁ ଭେଟି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ କିମ୍ବା ବାଲିଘାଟକୁ ନିଲାମ କରିବାକୁ ନିବେଦନ କରିଥିଲେ। ଶ୍ରୀ ବଞ୍ଛୋରଙ୍କ ନିଜସ୍ୱ ଜମି ମଧ୍ୟ ଦେଇ ପ୍ରତିଦିନ ଶହ ଶହ ସଂଖ୍ୟକ ଟ୍ରାକ୍ଟର ଯିବା ଆସିବା କରୁଥିବା ଯୋଗୁଁ ତାଙ୍କ ଜମି ଚାଷ ଅନୁପଯୋଗୀ ହୋଇପଡୁଥିବା ସହ ରାଜ୍ୟ ସରକାର ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ହେତୁ ଚୋରା ବାଲି ଚାଲଣକୁ ବିରୋଧ କରି ଆସୁଥିଲେ।

ଏଥିରେ ଉତକ୍ଷିପ୍ତ ହୋଇପଡି ଶିକ୍ଷକତା କରୁଥିବା ଜନୈକ ବାଲି ଚୋରା ଚାଲାଣକାରୀ ଶ୍ରୀକାନ୍ତ ପଟେଲଙ୍କ ଅଭିଯୋଗକ୍ରମେ ଗ୍ରାମ୍ୟ ଶାନ୍ତି କମିଟି ସଭାପତି ସତ୍ୟବାଦୀ ବାରଲେଣ୍ଡିଆ, ସମ୍ପାଦକ ହରିଶ୍ଚନ୍ଦ୍ର ବଗର୍ତ୍ତି, ୱାର୍ଡ ସଭ୍ୟ ବିଦ୍ୟାଧର ବିଶି ଏବଂ ୱାର୍ଡ ସଭ୍ୟା ବିଳାସିନୀ ସାହୁଙ୍କ ସ୍ୱାମୀ ଡୋଳାମଣୀ ସାହୁ ଗତ ୧୮ ତାରିଖ ଦିନ ଏକ ସଭା ଡାକିଥିଲେ। ତେବେ ବିଶ୍ୱବ୍ୟାପୀ ମହାମାରୀ କୋଭିଡ-୧୯ ପାଇଁ ରାଜ୍ୟ ସରକାର ଜାରି କରିଥିବା ସାମାଜିକ ଦୂରତ୍ୱ ରକ୍ଷା ନିର୍ଦ୍ଦେଶନାମାକୁ ସମ୍ମାନ ଜଣାଇ ଶ୍ରୀ ବଞ୍ଚୋର ଉକ୍ତ ସଭାକୁ ଯିବା ପାଇଁ ମନା କରି ଦେଇଥିଲେ। କିନ୍ତୁ ଅପରପକ୍ଷରେ ସଭାର ନିଷ୍ପତ୍ତି ଅନୁଯାୟୀ ଗାଁ ଚୌକିଦାର ଦଇତାରୀ କାଲସାଏ କୃଷ୍ଣଚନ୍ଦ୍ରଙ୍କୁ ଗ୍ରାମରେ ଅସହଯୋଗ ତଥା ସାମାଜିକ ବାସନ୍ଦ କରିବାକୁ ଡାକରା ଦେଇଥିଲେ। ସେହିଦିନଠାରୁ କୃଷ୍ଣଙ୍କ ପରିବାରକୁ ନିଆଁ ପାଣି ମନା ହୋଇଛି।

କେବଳ ସେତିକି ନୁହେଁ, ରାସ୍ତାରେ ଯିବା ଆସିବା ସମୟରେ କୁଚକ୍ରୀ ଗୋଷ୍ଠୀଙ୍କ ଟାହି ଟାପରା ସାଙ୍ଗକୁ ଅଶ୍ଳୀଳ ଏବଂ ଅସଭ୍ୟ ଭଷା କୃଷ୍ଣଚନ୍ଦ୍ର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବୋଝ ହୋଇପଡିଛି। ବାଧ୍ୟ ହୋଇ କୃଷ୍ଣଚନ୍ଦ୍ର ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣାଯାଇଛି। ତେବେ ଏହି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବରେ ଗ୍ରହଣ କରି ଜିଲାପାଳ କ୍ଷମତା ପାଇଥିବା ସରପଞ୍ଚ ହିଁ ଏହାର ସମାଧାନ କରିବେ ବୋଲି ରୋକଠୋକ୍‍ ଶୁଣାଇଥିବା ପାଟଣାଗଡ ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନ ନେଲେ ଆଗାମୀ ଦିନରେ ବିଲେଇସାଥି ଗ୍ରାମରେ ଚୋରା ବାଲି ଚାଲାଣକୁ ନେଇ ଘଟିଥିବା ଘଟଣାର ଯେ ପୁନରାବୃତ୍ତି ନ ଘଟିବ ଏହା କୁହାଯାଇ ନ ପାରେ।

Comments are closed.