‘ଅନ୍ଧ କରି ମୋତେ କରିଛୁରେ ଧନ୍ୟ…, ମିସ୍‍ କଲ୍‍ରୁ ପ୍ରେମ ଏବଂ ପ୍ରେମରୁ ଆଦର୍ଶ ବିବାହ

ପାଟଣାଗଡ଼: ‘ସବୁ ଝିଅର ଇଚ୍ଛା ଥାଏ ଜଣେ ସୌମ୍ୟ, ସୁନ୍ଦର, ଉଚ୍ଚ ରୋଜଗାର ସମ୍ପନ୍ନ ଯୁବକର ହାତ ଧରି ଜୀବନ ବିତାଇବା ପାଇଁ। କିନ୍ତୁ ମୋ ଭଳି ଜଣେ ଜନ୍ମାନ୍ଧ, ବେକାର ଯୁବକର ଜୀବନସାଥୀ ହେବାର ଦୃଢ ସଂକଳ୍ପ ନେଇ ଘରୁ ଗୋଡ କାଢି, ଜୀବନ ସାରା ମୋର ହାତ ଧରି ବାଟ ଚଲାଇବାର ନିଷ୍ପତ୍ତି ନେଇ କୋର୍ଟରେ ବିବହା କରିଥିବା ଚାନ୍ଦନୀ ନିକଟରେ ମୁଁ ଚିରଋଣୀ। ବିଶ୍ୱନିୟନ୍ତାଙ୍କୁ ମୁଁ କହିଥାଏ-ଅନ୍ଧ କରି ମୋତେ କରିଛୁରେ ଧନ୍ୟ…..।’ ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ ମୋବାଇଲ ବାର୍ତ୍ତାଳାପ ପରେ ଗଢି ଉଠିଥିବା ପ୍ରେମ ସଂପର୍କରୁ ଜଣେ ଅନ୍ଧ ଯୁବକ ଦିଲ୍ଲୀପ ତାଣ୍ଡିଙ୍କ ପ୍ରେମ ବିବାହର କାହାଣୀ ଏବଂ ବକ୍ତବ୍ୟ।

ଏହି ବ୍ଲକ ମୁଣ୍ଡୋମହୁଲ ଗ୍ରାମର ବନମାଳୀ ତାଣ୍ଡି ଏବଂ ଲକ୍ଷ୍ମୀ ତାଣ୍ଡିଙ୍କ ଜନ୍ମାନ୍ଧ ପୁଅ ଦିଲ୍ଲୀପ(୨୬)। ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଗାଁ ସ୍କୁଲର ପାଠ ପଢ଼ିବା ପରେ ରାଜେନ୍ଦ୍ର ମହାବିଦ୍ୟାଳୟ, ଯୋଗୀମୁଣ୍ଡାରୁ ଯୁକ୍ତ ଦୁଇ ପାସ କଲେ। ପରେ ଖୋର୍ଦ୍ଦା ଜଟଣୀର ସ୍ୱତନ୍ତ୍ର ଆଇ.ଟି.ଆଇ କଲେଜରୁ ୨୦୧୭ ମସିହାରେ ପାଠ ସାରି ଘରେ ବସି ରହିଛନ୍ତି ଦିଲ୍ଲୀପ। ଆୟ କହିଲେ ପ୍ରତି ମାସ ପାଉଥିବା ୭୦୦ ଟଙ୍କାର ଭତ୍ତା। ଗତ ୨୦୧୯ ମସିହା ଅଗଷ୍ଟ ୨୭ ତାରିଖ ଦିନ ଅନ୍ଧ ଦିଲ୍ଲୀପ ନିଜର ଜଣେ ବନ୍ଧୁଙ୍କ ନିକଟକୁ ଫୋନ କଲା ବେଳକୁ ଭୁଲରେ ତାହା ଲାଗିଯାଇଥିଲା ସଇନ୍ତଳା ନିକଟସ୍ଥ ବୁର୍ଡାର ରୋହିତ ବାଗ ଏବଂ ଲକ୍ଷ୍ମୀ ବାଗଙ୍କ ଝିଅ ଚାନ୍ଦନୀ ନିକଟକୁ। ତେବେ ଭୁଲରେ ଫୋନ ଲାଗିଯାଇଥିବା କହି ଅତ୍ୟନ୍ତର ବିନମ୍ରତାର ସହ କ୍ଷମା ଭିକ୍ଷା କରିଥିଲେ ଦିଲ୍ଲୀପ ଏବଂ ସେହି ବିନମ୍ରତାରୁ ହିଁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ। ଉଭୟେ ନିୟମିତ ଫୋନରେ କଥାବାର୍ତ୍ତା କରିବା ପରେ ସେହି ବର୍ଷ ନଭେମ୍ବର ମାସରେ ନିଜେ ଜନ୍ମାନ୍ଧ ବୋଲି ଦିଲ୍ଲୀପ ଚାନ୍ଦନୀକୁ କହିଥିଲେ।

ତେବେ ନିଜର ପ୍ରେମିକ ଅନ୍ଧ ହୋଇଥିବା ଜାଣିବା ପରେ ମଧ୍ୟ ଚାନ୍ଦନୀ ଦିଲ୍ଲୀପକୁ ଜୀବନସାଥୀ ଭାବରେ ଗ୍ରହଣ କରିବାକୁ ଦୃଢ ନିଷ୍ପତ୍ତି ନେଇଥିଲେ। ଗତ ଜାନୁୟାରୀ ୨୪ ତାରିଖ ଦିନ ଉଭୟେ ପାଟଣାଗଡ଼ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହରେ ବେଶ ଖୁସି ଥିବା ଚାନ୍ଦନୀ ପ୍ରକାଶ କରିବା ସହ ନିଜ ସ୍ୱାମୀ ଜନ୍ମାନ୍ଧ ହୋଇଥିଲେ ମଧ୍ୟ ନିଜେ ହାତ ଧରି ବାଟ ଚଲାଇବେ ଏବଂ ଦୁହେଁ ମିଶି କୌଣସି ଏକ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ମଧ୍ୟ ସମାଜରେ ଯୌତୁକ ଭଳି କୁସଂସ୍କାର ଲାଗି ରହିଥିବା ସହ ପ୍ରତିଦିନ ନାରୀ ନିର୍ଯ୍ୟାତନା ସଂକ୍ରାନ୍ତୀୟ ଅନେକ ଘଟଣାମାନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଚାନ୍ଦନୀ ଏବଂ ଦିଲ୍ଲୀପଙ୍କ ବିବାହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି।

Comments are closed.