ପାଟଣାଗଡ ବିଭତ୍ସ ଗଣହତ୍ୟା ମାମଲା : ଖିଅ ଖୋଳୁଛି ପୁଲିସ, ୨ ଅଟକଙ୍କୁ ଜେରା

-ଯୋଜନାବଦ୍ଧ ହତ୍ୟା, ପରିଚିତଙ୍କ ସଂପୃକ୍ତି ସନ୍ଦେହ

ବଲାଙ୍ଗିର : ପାଟଣାଗଡ଼ ଗଣହତ୍ୟା ମାମଲାକୁ ୩ ଦିନ ବିତିଲାଣି। ସ୍ୱତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ସୂଚନାକୁ ଆଧାର କରି ଖୋଳତାଡ ଚଳାଇଛି। ୨ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟପଟେ ହତ୍ୟାକାରୀଙ୍କୁ ଫାଶୀ ଦିଅ, ନହେଲେ ଆମକୁ ଫାଶୀରେ ଝୁଲେଇ ଦିଅ ବୋଲି ମୃତକଙ୍କ ପରିବାର ଲୋକେ କହିବା ଅନ୍ୟମାନଙ୍କୁ ଶଙ୍କାଗ୍ରସ୍ତ କରିଛି। ଲୋକଙ୍କ ମନ ଆନ୍ଦୋଳିତ ହେଉଛି। ଜୁଇ ସିନା ଜଳି ଯାଇଛି ହେଲେ ସଜଳ ରହିଛି ଦୃଶ୍ୟ। ତେବେ ପୁଲିସ ଛାନବିନ ଚଳାଇଥିବା ଓ ଖୁବଶୀଘ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି। ଲୋକେ ବି ବିଶ୍ୱାସ ରଖିଛନ୍ତି ପୁଲିସ ଉପରେ। ହେଲେ ଦିନ ଯେତେ ଗଡି ଗଡି ଯାଉଛି ପୁଲିସ ଉପରେ ବିଶ୍ୱାସର ମାତ୍ରା ବି ସମାନ ଭାବେ କମି କମି ଚାଲିଛି। ଏହି ବିଭତ୍ସ ଗଣହତ୍ୟାର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି ଜୋର ଧରିଲାଣି।

ସୂଚନାଯୋଗ୍ୟ, ମଙ୍ଗଳବାର ପାଟଣାଗଡ ସଅଁରାପଡ଼ା। ବିଳମ୍ବିତ ରାତିରେ ବୁଲୁ ଜାନୀଙ୍କ ଘରୁ ପାଟିତୁଣ୍ଡ ଶୁଭିଥିଲେ। ଏହା ସବୁଦିନିଆ କଥା ଓ ଝଗଡ଼ା ଏକ ନିୟମିତ କଥା ହୋଇ ସାରିଥିଲା ସ୍ଥାନୀୟ ଲୋକଙ୍କ ପାଇଁ। ତେଣୁ ଲୋକେ ନଜର ଅନ୍ଦାଜ କରିଥିଲେ। କିନ୍ତୁ ବୁଧବାର ସଅଁରାପଡ଼ାରେ ଥିବା ବୁଲୁ ଜାନୀଙ୍କ ଘରୁ କିଛି ପାଟି ଶୁଭୁ ନଥିଲା। କେହି ବାହାରକୁ ଆସୁ ନଥିଲେ କି ଯାଉ ନଥିଲେ। ସକାଳ ଯେତିକି ଗଡୁଥିଲା ସନ୍ଦେହ ସେତେ ବଢୁଥିଲା। ହେଲେ ଦେଖିବା ବେଳକୁ ଘର ଭିତରେ କମ୍ବଳ ଘୋଡି ହୋଇ ସମସ୍ତେ ପ୍ରାୟ ଶୋଇ ରହିଥିଲେ। ପୁଲିସକୁ ଖବର ଦେଇଥିଲେ ବି ଉଡ଼ା କଥା ଭାବି ଏଡେଇ ଯାଇଥିଲେ। ୧୧ଟାରେ ଅତିରିକ୍ତ ଏସ୍ପି ମନୋରଞ୍ଜନ ପ୍ରଧାନ, ପାଟଣାଗଡ ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଯାଇ ଦେଖିବା ପରେ ସନ୍ଦେହ ବଢି ଯାଇଥିଲା। ସାଇଣ୍ଟିଫିକ୍ ଟିମ୍, ନୂଆପଡ଼ାର ସନ୍ଧାନୀ କୁକୁର ଓ ଏସ୍ପି ଏମ୍.ସନ୍ଦୀପ ସଂପଦ ପହଞ୍ଚିବା ପରେ ପୁଲିସ ଘର ଭିତରକୁ ଯାଇ ଯାହା ଦେଖିଥିଲା ତାହା ହୋସ୍ ଉଡାଇ ଦେବା ଭଳି। କ୍ଷତ ବିକ୍ଷତ ଓ ରକ୍ତ ଜୁଡୁବୁଡୁ ଶରୀର। ଗୁରୁବାର ଭୁବନେଶ୍ୱରରୁ ପାଟଣାଗଡ ପହଞ୍ଚିଥିଲେ ମୃତକଙ୍କ ୫ ପୁଅ, ବୋହୂ ଓ ନାତି ନାତୁଣୀ। ମୃତକଙ୍କ ମଧ୍ୟରେ ବୁଲୁ, ଜ୍ୟୋତି ଥିବା ବେଳେ ୩ ପୁଅ, ଝିଅ ଓ ନାତୁଣୀ ଥିଲେ। ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିଥିଲେ ପରିବାର ଲୋକେ। ଶବ ବ୍ୟବଚ୍ଛେଦ ପରେ କାଠ ଅଭାବକୁ ଦେଖି ୨ଟି ଜୁଇରେ ଶେଷକୃତ୍ୟ କରାଗଲା ୬ ମୃତକଙ୍କ। ପୁଲିସ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶିବା, ଭୋଳାଙ୍କୁ ଥାନାରେ ଅଟକ ରଖି ଜେରା କରିଥିଲା। ଗୁରୁବାର ଓ ଶୁକ୍ରବାର ଦିନ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ମାମଲାର ଖିଅ ମିଳିଛି କି ନାହିଁ ତାହା ସ୍ପଷ୍ଟ କରୁନି। କୌଣସି ସୂଚନା ବାହାରକୁ ଆସୁ ନଥିବା ବେଳେ ସଂପତ୍ତି ଭାଗବଣ୍ଟା, ପୂର୍ବ ମାମଲାକୁ ନେଇ ଚର୍ଚ୍ଚା ହେଉଛି। ଅନେକ ଉଡ଼ା କଥା ବି ଆଲୋଚନାକୁ ଆସୁଛି। କିନ୍ତୁ ପୁଲିସ ପାଖରେ ଠୋସ୍ କିଛି ତଥ୍ୟ ଲାଗି ନଥିବା ଜଣାପଡୁଛି। ଖୁବ କମ୍ ଦିନରେ ମାମଲାର ହତ୍ୟାକାରୀ ଧରାପଡିବେ ବୋଲି କେବଳ ଆଶ୍ୱାସନା ମିଳୁଛି ।

ମହୁ ବିକିବାକୁ ପରିବାର ସହ ୧୦/୧୨ ବର୍ଷ ତଳେ ଆସିଥିଲେ ସୁଦୂର ଝାଡଖଣ୍ଡର ବାଗବେହେରାରୁ ପାଟଣାଗଡକୁ ବୁଲୁ ଜାନୀ ଆସିଥିଲେ। ସେମାନେ ବାରବୁଲା ଭାବେ ଜୀବନ ଅତିବାହିତ କରୁଥିଲେ। ମୃତ ବୁଲୁ ମହୁ ବିକ୍ରି କରୁଥିବା ବେଳେ ସ୍ତ୍ରୀ ଜ୍ୟୋତି ଓ ଚୁଡି ବିକୁଥିଲେ। ପୁଅମାନେ ଭୁବନେଶ୍ୱରରେ ରହୁଥିଲେ। ମୃତ ବୁଲୁ-ଜ୍ୟୋତିଙ୍କ ୧୦ ପୁଅ, ଝିଅ ବୋଲି ଜଣାପଡିଛି। ତେବେ କିଛି ବର୍ଷ ହେଲା ସେମାନେ ସଅଁରାପଡ଼ାରେ ଘର କରି ରହୁଥିଲେ। ପୂର୍ବ ଶତ୍ରୁତା ବି ରହିଥିଲା। ଥାନାରେ ମାମଲା ଆପୋଷ ବୁଝାମଣାରେ ଶେଷ ହୋଇଥିଲା। ତେବେ କେଉଁ ରାଗ ଏତେ ହିଂସ୍ର କରିଦେଲା ହତ୍ୟାକାରୀଙ୍କୁ। ସେମାନେ ୬ଜଣଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଓ ଏହାର ଯେମିତି କେହି ସୁରାକ ନପାଆନ୍ତି ସେଦିଗରେ ବି ଯତ୍ନବାନ ଥିଲେ ହତ୍ୟାକାରୀ। କେହି ପ୍ରତିବାଦ କରିବାର ସୁଯୋଗ ପାଇ ନଥିଲେ ଅର୍ଥାତ ହତ୍ୟାକାରୀମାନେ ସେମାନଙ୍କ ଜଣାଶୁଣା ପ୍ରାୟ। ଆଉ ହତ୍ୟାକାଣ୍ଡରେ ବ୍ୟବହୃତ କୌଣସି ଅସ୍ତ୍ରଶସ୍ତ୍ର ବି ମିଳି ନାହିଁ। ଜଣେ ନୁହେଁ, ଏକାଧିକ ଲୋକଙ୍କ ସଂପୃକ୍ତି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଏହି ମାମଲା ଅଧିକ ସ୍ପର୍ଶକାତର ହେଉଛି ଦିନକୁ ଦିନ। ତେବେ ପୁଲିସର ତଦନ୍ତ କୁଆଡେ ଯାଉଛି ଓ କେଉଁମାନେ ସଂପୃକ୍ତ ପୁଲିସ ଖୋଜି ବାହାର କରିପାରୁଛି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର।

Comments are closed.