୧୬ ହଜାର ବୋତଲ ଚୋରା କଫ ସିରପ ଜବତ

ପାଟଣାଗଡ : ରବିବାର ରାତିରେ ପୁଲିସ ପକ୍ଷରୁ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘର ଉପରେ ଚଢଉ କରାଯାଇ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଥିବା ଜଣାଯାଇଛି। ଲୁହାସିଂହା ଗ୍ରାମର ଜଣାଶୁଣା ଚୋରା କଫ୍ ସିରଫ୍ ବେପାରୀ ସତ୍ୟନାରାୟଣ ଅଗ୍ରୱାଲଙ୍କ ଗୋଦାମ ଘରୁ ୧୬ ହଜାର ଏସକଫ୍ କଫ ସିରଫ ଜବତ ହୋଇଥିବା ବେଳେ ସତ୍ୟନାରାୟଣ ଓରଫ ଗୋଲୁ ଫେରାର ମାରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଜବତ ହୋଇଥିବା ଚୋରା କଫ୍ ସିରପର ଆନୁମାନିକ ବ୍ୟାବସାୟିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବଲାଙ୍ଗିର ଏସପି ସନ୍ଦୀପ ସମ୍ପଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଲରମ୍ଭା ଥାନା ଲୁହାସିଂହା ଗ୍ରାମର ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୋଲୁଙ୍କ ଗୋଦାମ ଘରେ ବିପୁଳ ପରିମାଣର ଚୋରା କଫ ସିରପ ଗଚ୍ଛିତ ରଖାଯାଇଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାୟକ ଏବଂ ପାଟଣାଗଡ ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟଙ୍କୁ ନେଇ ପାଟଣାଗଡ ଉପଖଣ୍ଡୀୟ ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ଗୋଦାମ ଘରେ ଚଢଉ କରାଯାଇଥିଲା। ଗୋଦାମ ଘରଟି ବନ୍ଦ ରହିଥିବା ବେଳେ ତାକୁ ଖୋଲାଯିବା ପରେ ସେଠାରେ ବିପୁଳ ପରିମାଣର ଏସକଫ୍ କଫ ସିରଫ( କୋଡିନ ଫସଫେଟ୍ ଯୁକ୍ତ) ଗଛିତ ଥିବା ପୁଲିସ ପାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୦୦ ପ୍ୟାକେଟ୍ କଫ ସିରଫକୁ ପୁଲିସ ଜବତ କରିଥିଲା। ପ୍ରତ୍ୟେକ ପ୍ୟାକେଟରେ ୧୦୦ ମିଲି ବିଶିଷ୍ଟ ୧୬୦ଟି ଲେଖାଏଁ ବୋତଲ ରହିଥିବା ବେଳେ ଏହାର ବିକ୍ରୟ ମୂଲ୍ୟ ଟ.୧୧୬.୦୦ ବୋଲି ଜଣାଯାଇଛି। ଉକ୍ତ କଫ ସିରଫ ଗୁଡିକର ବ୍ୟାଚ ନମ୍ବର ଜେଇସିଏଲ-୩୮୧ ରହିଥିବା ବେଳେ ତାହା ଗତ ଅକ୍ଟୋବର ମାସରେ ତିଆରି କରାଯାଇଥିବା କମ୍ପାନୀ ପକ୍ଷରୁ ଲେଖାଯାଇଛି। ତେବେ ସତ୍ୟନାରାୟଣକୁ କିଏ,କାହିଁକି ଏବଂ କିଭଳି ଏତେ ପରିମାଣର ନିଶାଯୁକ୍ତ ଔଷଧ ଯୋଗାଇ ଦେଲା ତାହା ଏକ ପ୍ରଶ୍ନବାଚୀ ହୋଇ ରହିଯାଇଛି।

ସୂଚନାଯୋଗ୍ୟ ଯେ, ସତ୍ୟନାରାୟଣ ଓରଫ ଗୋଲୁଙ୍କ ଏହି ଚୋରା ନିଶା ବେପାର ଯୋଗୁଁ ଛତିଶଗଡର ସରାଇପାଲି, ପଦ୍ମପୁର, ବୋଡେନ, ଗାଇସିଲେଟ ଆଦି ଥାନା ମାନଙ୍କରେ ୬ରୁ ଊର୍ଦ୍ଧ୍ବ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ନିଶା ଏବଂ ଅପରାଧର ସଂପର୍କ ରହିଥିବା ବେଳେ ନିଶା ବେପାରକୁ ରୋକିବାରେ ବଲାଙ୍ଗିର ପୁଲିସର ଏହି ବଡ ସଫଳତା ଅପରାଧକୁ ରୋକିବାରେ ମଧ୍ୟ ସମର୍ଥ ହେବ ବୋଲି ବଲାଙ୍ଗିର ଏସପି ଆଶାବାଦୀ ରହିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହାଛଡା ନିଶାକୁ ରୋକିବା ପାଇଁ ଜନସେଚତନତା ସୃଷ୍ଟିର ଆବଶ୍ୟକତା ରହିଥିବା ଦର୍ଶାଇ ବଲାଙ୍ଗିର ପୁଲିସ ଏ ଦିଗରେ ଯତ୍ନବାନ ହେବ ବୋଲି ସେ କହିଛନ୍ତି।
ତେବେ ଜଣେ ଆନ୍ତଃରାଜ୍ୟ ଚୋରା ନିଶା ବେପାରୀ ଏହି ଅଞ୍ଚଳରେ ଏକ ଗୋଦାମଘର କରି ବେଧଡକ୍ ନିଶା ବେପାର ଚଳାଇଥିବା ବେଳେ ପୁଲିସ ଏ ଦିଗରେ ଟେର ନ ପାଇବା ସାଧାରଣରେ ବିସ୍ମୟ ସୃଷ୍ଟି କରୁଥିବା ସହ କିଛି ବଡବଡିଆ ପୁଲିସ ବାବୁଙ୍କ ନିଶା ବେପାରୀ ସହ ଭିତିରିଆ ସଂପର୍କ ରହିଥିବା ଆଲୋଚନା ଜୋର ଧରୁଛି। ଫେରାର ମାରିଥିବା ସତ୍ୟନାରାୟଣଙ୍କୁ ଧରିବା ପରେ ଏ ଦିଗରେ ଖୋଳତାଡ ହେଲେ ଯୁବସମାଜକୁ ଏଥିରୁ ଦୂରେଇ ରଖାଯିବା ସହ ଏକ ନିଶାମୁକ୍ତ ସମାଜର ସ୍ୱପ୍ନ ସାକାର ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.