ପାଟଣାଗଡର ବହୁ ଚର୍ଚ୍ଚିତ ଗଣହତ୍ୟା ମାମଲା, ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼: ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ଏବଂ ଶୃଙ୍ଖଳିତ ଆଚରଣ ମଣିଷକୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇ ପାରିଛି। ଅନ୍ୟପଟେ ଅଦମ୍ୟ ଇଚ୍ଛାଶକ୍ତି,ଚେଇଁ ଶୋଇ ରହି ଦେଖିଥିବା ସ୍ୱପ୍ନ ଏବଂ କ୍ଷମତା ନିଶା ମଣିଷକୁ ରସାତଳଗାମୀ କରିପାରେ ଏହାର ଜ୍ୱଳନ୍ତ ଉଦାହରଣ ସ୍ଥାନୀୟ ସଅଁରାପଡାର ଗଣହତ୍ୟା ଘଟଣା। ମୃତ ବୁଲୁ ଜାନୀଙ୍କ ପରିବାର ସହିତ ଅନ୍ୟ ୩ ପରିବାର- ଗଙ୍ଗୱା ପରିବାର, ଗଣ୍ଡ ପରିବାର ଏବଂ ବାବୁଲାଲ ଜାନୀଙ୍କ ପରିବାର ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଲାଗି ରହିଥିଲା। ଅପେକ୍ଷାକୃତ ଭାବରେ ସୁଦୃଢ ସ୍ଥିତିରେ ରହି ଆସିଥିବା ବୁଲୁ ଜାନୀ ପରିବାର ଦ୍ୱାରା ଅନ୍ୟ ୩ ପରିବାର ବିଭିନ୍ନ ସମୟରେ ଅତ୍ୟାଚାରିତ, ଅପମାନିତ ଏବଂ ଶୋଷିତ ହୋଇ ଆସୁଥିଲେ। ଗତ ୧୦ ବର୍ଷ ଧରି ମୁଖ୍ୟତଃ ବାବୁଲାଲ ଜାନୀଙ୍କ ପରିବାର ସହ ବିବାଦ ଲାଗି ରହିଥିବା ବେଳେ, ଗଙ୍ଗୱାଙ୍କ ଭଉଣୀ ସହ ବିବାଦରୁ ଗଙ୍ଗୱାକୁ ମାଡ ମାରି ସହରରୁ ତଡିଦେବା, ଗଣ୍ଡ ପରିବାରକୁ ମାଡ ମାରି ଏଠାରୁ ତଡି ଦେଇ ସଅଁରାପଡାରେ ନିଜର ଆଧିପତ୍ୟ ବିସ୍ତାର କରିବା ନିଶା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ସୂଚନା ଦେଇଛି ପୁଲିସ।

୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଅଭିଯୁକ୍ତଙ୍କୁ ଦେଖିବା ଲାଗି ଜନଗହଳି
ଗତ ୧୦ ତାରିଖ ରାତିରେ ସ୍ଥାନୀୟ ବ୍ରହ୍ମପୁରା ସଅଁରାପଡାରେ ଘଟିଯାଇଥିବା ସଂଗଠିତ ଗଣହତ୍ୟା ମାମଲାର ୭ ଅଭିଯୁକ୍ତ ବାବୁଲାଲ ଜାନୀ(୫୫), ତାଙ୍କ ଦୁଇ ପୁଅ ଭୋଳା ଜାନୀ(୨୦), ଶିବା ଜାନୀ(୧୯), ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଳକଣା ଗ୍ରାମର ଛାୟା ଗଣ୍ଡ(ମାଝି)(୨୬), ବଳଦେବ ଗଣ୍ଡ(ମାଝି)(୨୭), ମନୀଷ ଗଣ୍ଡ(ମାଝି)(୨୪) ଏବଂ ବିକଳ କଇରି(୨୦)ଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସ୍ଥାନୀୟ ଉପଖଣ୍ଡୀୟ ବିଚାର ବିଭାଗ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ସ୍ଥାନୀୟ ଉପ କାରାଗାରକୁ ପଠାଇ ଦିଆଯାଇଛି।

ଆଜି ସକାଳେ ପ୍ରଥମେ ଥାନା ପରିସର ମଧ୍ୟରେ ଅଭିଯୁକ୍ତମାନଙ୍କ କୋଭିଡ ପରୀକ୍ଷା କରାଯିବା ପରେ ଅନ୍ୟାନ୍ୟ ପରୀକ୍ଷଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପଖଣ୍ଡୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅପରାହ୍ଣ ପ୍ରାୟ ୨ ଘଣ୍ଟା ବେଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭ ଅଭିଯୁକ୍ତଙ୍କୁ କୋର୍ଟ ପରିସରକୁ ଅଣାଯାଇଥିଲା। ସେମାନଙ୍କୁ ଉପଖଣ୍ଡୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା ପରେ ୩ ଘଣ୍ଟା ବେଳକୁ ସ୍ଥାନୀୟ ଉପ କାରାଗାରକୁ ପଠାଇ ଦିଆଯାଇଥିଲା। ଏହି ହତ୍ୟାକାଣ୍ଡ ଘଟିଯାଇଥିବା ଦିନଠାରୁ ଏହାର କାରଣ ଏବଂ ଆତତାୟୀ କିଏ ହୋଇପାରେ ଏହାକୁ ନେଇ ସାଧାରଣରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିବା ବେଳେ ଅଭିଯୁକ୍ତଙ୍କୁ ଦେଖିବା ଲାଗି ଆଜି କୋର୍ଟ ପରିସର ଅଞ୍ଚଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।

‘ପ୍ରଶାସନ ଆମକୁ ସହାୟତା ଦେଲେ ଜନ୍ମମାଟିକୁ ଫେରିଯିବୁ’- ପୀଡିତ ପରିବାର
ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ଗଛ ତଳେ ଜୀବନ ବିତାଉଥିବା ବୁଲୁ ଜାନୀଙ୍କ ପରିବାର ଚାହୁଁଛନ୍ତି ନିଜ ଜନ୍ମମାଟିକୁ ଫେରିଯିବାକୁ। ପ୍ରଶାସନ ପକ୍ଷରୁ ସେମାନଙ୍କ ଯିବା ବ୍ୟବସ୍ଥା କରିଦିଆଗଲେ ସେମାନେ ଟାଟାନଗରକୁ ଫେରିଯିବାକୁ ଚାହିଁଛନ୍ତି। ଯେଉଁଠି ଯୋଜନାବଦ୍ଧ ଭାବରେ ନିଜ ବାପା-ମାଆ, ଭାଇ-ଭଉଣୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଗଲା, ସେଠି ନିଜ ନିଜ ଜୀବନ ମଧ୍ୟ ନିରାପଦ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ସରୋଜ, ବିକାଶ ଏବଂ ଅନ୍ୟମାନେ। ଏହାବ୍ୟତୀତ ଏହି ଯୁକ୍ତିକୁ ଦୋହରାଇବା ସହ ନିଜ ଭାଇଙ୍କ ପରିବାର ସଦଦସ୍ୟଙ୍କ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି ବୁଲୁଙ୍କ ବଡଭାଇ କବର ସିଂ ଶବର।
‘ପ୍ରକୃତ ହତ୍ୟାକାରୀଙ୍କୁ ପୁଲିସ ଧରିଥିବାରୁ ଆମେ ଖୁସି’
ସଂଗଠିତ ଗଣହତ୍ୟା ଘଟାଇଥିବା ପ୍ରକୃତ ଅପରାଧୀମାନଙ୍କୁ ପୁଲିସ ଧରିପାରିଥିବା ଦର୍ଶାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତ ବୁଲୁ ଜାନୀଙ୍କ ପୁଅ ସରୋଜ ଜାନୀ। ତେବେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଙ୍ଗୱା ମାଝି ଏବଂ ତାର ପୁଅ ଦେବରାଜ ମାଝି ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି ସରୋଜ। ଅନ୍ୟପଟେ ପ୍ରଶାସନ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଲେ ବୁଲୁଙ୍କ ପରିବାର ସଦସ୍ୟ ନିଜ ଜନ୍ମମାଟିକୁ ଫରିଯାଆନ୍ତେ ବୋଲି କହିଛନ୍ତି ଝାଡଖଣ୍ଡର ଟାଟାନଗର ଅଞ୍ଚଳରୁ ପାଟଣାଗଡରେ ପହଞ୍ଚିଥିବା ମୃତ ବୁଲୁଙ୍କ ବଡ ଭାଇ କବର ସିଂ ଶବର। ଅନେକ ସମୟରେ ନିଜ ଭାଇଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବାବୁଲାଲ, ଗଙ୍ଗୱା ଏବଂ ଗଣ୍ଡ ପରିବାର ମଧ୍ୟରେ ଛୋଟ ବଡ କଥାକୁ ନେଇ ଗଣ୍ଡଗୋଳ ଲାଗୁଥିଲା। ସେ ନିଜେ ଅନେକ ଥର ଆସି ସେଗୁଡିକର ମୀମାଂସା କରି ପୁଣି ଟାଟା ଫେରିଯାଉଥିଲେ। ତେବେ ଉକ୍ତ ଘଟଣାମାନଙ୍କୁ କେନ୍ଦ୍ର କରି ଏଭଳି ଏକ ଜଘନ୍ୟ ଏବଂ ବର୍ବୋରୋଚିତ କାଣ୍ଡ ଘଟିଯିବ ବୋଲିି କେବେ କଳ୍ପନା କରିନଥିବା କହିଛନ୍ତି କବର ସିଂ ଶବର।

ମୃତକଙ୍କ ଘରେ ଖୋଳାଯାଇଥିବା ଗାତ ଏବଂ ପଡ଼ି ରହିଥିବା ମଦ ପାଉଚ୍‍କୁ ନେଇ ଚର୍ଚ୍ଚା
ମୃତ ବୁଲୁ ଜାନୀଙ୍କ ଘରର ଗୋଟିଏ ସ୍ଥାନରେ ଏକ ଗାତ ଖୋଳାଯାଇଥିବା ଏବଂ ନିକଟରେ ପଡ଼ି ରହିଥିବା ଠାକୁର ଫଟୋକୁ ନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚ ଲଗି ରହିଛି। ପୁଲିସ ମଧ୍ୟ ଏ ନେଇ କୌଣସି ସଠିକ୍‍ ସୁଚନା ଦେଇନଥିବା ବେଲେ ସୁନା,ଗହଣା କିମ୍ବା ମୂଲ୍ୟବାନ ଜିନିଷ ପାଇବା ଆଶାରେ ଆତତାୟୀ ସେହି ଖାଲ ଖୋଳି ଥାଇପାରନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ ଉକ୍ତ ଗାତ ବିଷୟରେ ଖୋଳତାଡ କଲେ ବହୁ ତଥ୍ୟ ଲୋକଲୋଚନକୁ ଅଅସିପାରେ ବୋଲି ଆଲୋଚନା ଜୋର ଧରିବାରେ ଲାଗିଛି। ଏହାବ୍ୟତୀତ ଉକ୍ତ ଘରେ ପଡ଼ି ରହିଥିବା ବିପୁଳ ପରିମାଣର ଦେଶୀ ମଦ ପାଉଚ ଆଲୋଚନାକୁ ଖୋରାକ ଯୋଗାଇବାରେ ଲାଗିଛି। ଜଣେ ବୟସ୍କ ଏତେ ପରିମାଣର ମଦ ପିଇବା ଅସମ୍ଭବ ହୋଇଥିବା ବେଳେ ଏତେ ମଦ ଉକ୍ତ କୋଠରୀକୁ କେମିତି ଏବଂ କାହିଁକି ଆସିଲା ତାହା ଏକ ପ୍ରଶ୍ନବାଚୀ ହୋଇପଡ଼ିଛି।

Comments are closed.