ପାଟଣାଗଡରେ ପୁଣି ଖେଳିଲା ପଲ୍‍ସର ଆତଙ୍କ, ୨ ବାଇକ ଆରୋହୀଙ୍କୁ ମାଡ ମାରି ୩.୨୦ ଲକ୍ଷ ଟଙ୍କା ଲୁଟ୍‍

ପାଟଣାଗଡ: କିଛି ଦିନର ନୀରବତା ପରେ ପାଟଣାଗଡରେ ପୁଣି ଆତଙ୍କ ଖେଳାଇବା ଆରମ୍ଭ କରିଛନ୍ତି ପଲ୍‍ସର ଆରୋହୀ। ଆଜି ସହରଠାରୁ ପ୍ରାୟ ୩ କିମି ଦୂର ବଥର୍ଲା ଛକ ନିକଟରେ ଖପ୍ରାଖୋଲ ବ୍ଲକ ବୁଡିବାହାଲ ଗ୍ରାମର ୨ ବାଇକ୍‍ ଆରୋହୀ ମାନସ ସାହୁ(୩୩) ଏବଂ ସାଇରାମ ସାହୁ(୨୭)ଙ୍କୁ ମାଡ ମାରି ୨ଟି ପଲସର ବାଇକରେ ଆସିଥିବା ୬ ଜଣ ଲୁଟେରା ସେମାନଙ୍କ ଠାରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ସୂଚନାଅନୁସାରେ ବୁଡିବାହାଲ ଗ୍ରାମର ମାନସ ସାହୁ ଏବଂ ତାଙ୍କ କାକା ପୁଅ ଭାଇ ସାଇରାମ ସାହୁ ଆଜି ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ସ୍ଥାନୀୟ ଏକ ବ୍ୟବସାୟ ପ୍ରତିଷ୍ଠାନରେ ୩୦ ହଜାର ଟଙ୍କା ଦେବା ପରେ ଅବଶିଷ୍ଟ ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ଗତକାଲି କିଣିଥିବା ନୀଳରଙ୍ଗର ଏକ ସୁଜୁକି ସ୍କୁଟିରେ ଧଣ୍ଡାମୁଣ୍ଡା ଗ୍ରାମର କିଓସ୍କ ବ୍ୟାଙ୍କକୁ ବାହାରିଥିଲେ। ଅପରାହ୍ନ ପ୍ରାୟ ୩ ଟା ସମୟରେ ସହରଠାରୁ ୩ କିମି ଦୂର ବଥର୍ଲା ଛକ ନିକଟରେ ୨ଟି ପଲ୍‍ସର ବାଇକରେ ୬ ଜଣ ଲୁଟେରା ପହଞ୍ଚି ସେମାନଙ୍କୁ ମାଡ ମାରିବା ସହ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ।

ପାଟି ତୁଣ୍ଡ ଶୁଣି କିଛି ସ୍ଥାନୀୟ ଲୋକ ପହଞ୍ଚିବା ପରେ ଲୁଟେରାମାନେ ଘଟଣାସ୍ଥଳ ଛାଡି ଫେରାର ମାରିଥିଲେ। ତେବେ ଲୁଟେରାଙ୍କ ମାଡରେ ଲହୁ ଲୁହାଣ ହୋଇପଡିଥିବା ୨ ଭାଇଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ମାନସ ସାହୁଙ୍କ ଲିଖିତ ଏତଲାକ୍ରମେ ପାଟଣାଗଡ ପୁଲିସ ଏକ ମାମଲା ରୁଜୁ କରି ତନାଘଟା ଆରମ୍ଭ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ନମ୍ବର ବିହୀନ ପଲସର ଆରୋହୀ ମାନେ ବିଶେଷତଃ ଜନଗହଳି ସ୍ଥାନ, ବ୍ୟାଙ୍କ ମାନଙ୍କ ପାଖରେ ବାରମ୍ବାର ଲୁଟ୍‍ କରୁଥିବା ବେଳେ କୌଣସିମତେ କିଛି ଦିନ ପାଇଁ ତାହା ବନ୍ଦ ରହିଥିଲା। ତେବେ ଆଜି ପୁଣି ସେଭଳି ଏକ କାଣ୍ଡର ପୁନରାବୃତ୍ତି ଘଟିବା ପରେ ସାଧାରଣରେ ଗଭୀର ଉଦବେଗ ପ୍ରକାଶ ପାଉଛି। ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବାକୁ ସାଧାରଣରେ ଦୃଢ ଦାବୀ ହେଉଛି।

Comments are closed.