କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲାରେ ୧୪୪ ଧାରା ଜାରି

ପାଟଣାଗଡ : ସଂପ୍ରତି ବିଶ୍ୱରେ ମହାମାରୀର ରୂପ ନେଇସାରିଥିବା କରୋନାର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ବଲାଙ୍ଗୀର ଜିଲାରେ ୧୪୪ ଧାରା ଜାରି କରାଯାଇଥିବା ଜଣାଯାଇଛି। ବଲାଙ୍ଗୀର ଜିଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତିୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ଉପ ଜିଲାପାଳ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ ଇତ୍ୟାଦି ପରିସର ମଧ୍ୟରେ ଉକ୍ତ ବିକ୍ଷପ୍ତିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲଗାଯାଇଥିବା ଦେଖିବାକୁ ମିଳିଛି। କୌଣସି ଗୃହ ମଧ୍ୟରେ କିମ୍ବା ସାପ୍ତାହିକ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ୫ ଜଣରୁ ଅଧ୍ୟକ ଏକତ୍ରିତ ରହି ପାରିବେ ନାହିଁ ବୋଲି ଉକ୍ତ ଆଦେଶନାମାରେ ଉଲ୍ଲେଖ କରାଯାଇଛି।

ଏହାଛଡା କୌଣସି ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଳନ ନ କରିବା ସହ ଜାନି, ଯାତ୍ରା, ଦଣ୍ଡ ନାଟ, ଅପେରା ସହ ବାହାଘର ଶୋଭାଯାତ୍ରା ନ କରିବାକୁ ଅତି କଡାକଡି ଭାବରେ ବାରଣ କରାଯାଇଛି। କୌଣସି ରାଜନୈତିକ ରାଲି, ସଭା ନ କରିବା ସହ କୌଣସି କଲ୍ୟାଣ ମଣ୍ଡପ, ଧର୍ମଶାଳଅ ଇତ୍ୟଆଦି ମାନଙ୍କରେ କୌଣସି ସାମାଜିକ ଉତ୍ସବ ନ କରିବାକୁ ମଧ୍ୟ ବାରଣ କରାଯାଇଛି। ସବୁଠାରୁ ବଡକଥା ହେଉଛି କରୋନାକୁ ନେଇ କୌଣସି ଗୁଜବ ପ୍ରଚାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ନିୟମ ଗୁଡିକର ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ମଧ୍ୟ ଦିଆଯାଇଛି। ଏହାକୁ କଡାକଢି ଭାବରେ ପାଳନ କରିବା ନିମନ୍ତେ ଜନସାଧାରଣଙ୍କ ସଷଯୋଗ କାମନା କରାଯିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ବଳବତ୍ତର ରହିବ ବୋଲି ଜଣାଯାଇଛି। ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଏହାର ପ୍ରଚାର ପ୍ରସାର କରାଗଲେ ଅଧିକ ଫଳପ୍ରଦ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.