ପୃଥକ ବାଇକ୍ ଦୁର୍ଘଟଣାରେ ୨ ଓ ଆକ୍ରମଣରେ ଜଣେ ଗୁରୁତର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ଗ୍ରାମର ଲୋକନାଥ ନାୟକ (୩୦) ନାମକ ଜଣେ ଯୁବକ ଗତକାଲି ୨୦ ନମ୍ବର ଜାତୀୟ ରାଜପଥର କଟରାବେଡା ନିକଟରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇ ଟୋଲଗେଟ୍ ରୋଗୀ ଜାନରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଲୋକନାଥଙ୍କ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ଭୀଷ୍ମ ନାୟକ (୫୦) ଓ ପରୀକ୍ଷିତ ନାୟକ (୫୫) କେନ୍ଦୁଝର ଯାଇ ଗ୍ରାମକୁ ବାଇକ୍ ଯୋଗେ ଫେରିବା ରାସ୍ତାରେ କଟରାବେଡ଼ା ହୁଡ଼ି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ଭୀଷ୍ମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ ପରୀକ୍ଷିତ ଆହତ ହୋଇଛନ୍ତି। ଉଭୟଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯାଇଛି।

ଅନ୍ୟ ଏକ ଘଟଣାରେ ଢେ଼ଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଡାଙ୍ଗୁଆପଶି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛି। ଡ଼ାଙ୍ଗୁଆପଶିର ଗୋବିନ୍ଦ ନାଏକ (୨୭) ଓ ଅଲେଖ ନାଏକ (୨୫) ବାଇକରେ ଗ୍ରାମକୁ ଫେରୁଥିବା ସମୟରେ ଏକ ଗଛରେ ସେମାନଙ୍କ ବାଇକଟି ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଗୋବିନ୍ଦ ଓ ଅଲେଖ ଗୁରୁତର ହୋଇ ଘଟଗାଁ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ବେଳେ ଗୋବିନ୍ଦ ନାଏକ ଘଟଗାଁ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଗୁରୁତର ଅଲେଖଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଭିମାପଡ଼ା ଗ୍ରାମର ବାସିନ୍ଦା ତଥା ରେଳବାଇ ଅଧିକାରୀ ଭାବେ କାର୍ଯ୍ୟରତ ପ୍ରଭାକର ମୁଣ୍ଡାଙ୍କ ଉପରେ ତୁରୁମୁଙ୍ଗା ଥାନା ଅଞ୍ଚଳ ର ମହିଷାମୁଣ୍ଡି ନିକଟରେ ଆକ୍ରମଣ ହୋଇଛି। ତାଙ୍କ ମୁଣ୍ଡ ଫାଟି ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୁକ୍ତିନାମା କରିଥିବା ଜମି ଉପରକୁ ପ୍ରଭାକର ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି।

Comments are closed.