ଟ୍ରକ ପଛରେ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ନିକଟରେ ଛିଡ଼ା ହୋଇଥିବା ଟ୍ରକ ପଛରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକ ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ ବହୁ ଉଦ୍ୟମ କରି ତାଙ୍କୁ ଟ୍ରକ ଭିତରୁ ବାହାର କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରୋଗୀଯାନ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।‌ ସୂଚନା ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ନର୍ସରୀ ନିକଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଟ୍ରକ ରାସ୍ତା ଉପରେ ଛିଡା ହୋଇ ରହିଥିବା ବେଳେ ରାଇପୁର ରୁ କଲିକତା ଅଭିମୁଖେ ଯାଉଥିବା ଏକ ମାର୍ବଲ (କଳା ପଥର) ବୋଝେଇ ଟ୍ରକ ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ କ୍ଷିପ୍ର ଗତିରେ ହୋଇଥିଲା ଯେ ଚାଳକ ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କୁ ଗାଡି ଭିତରୁ ବାହାର କରିଥିଲେ।

Comments are closed.