MEllora 950×100

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ପାଟଣା : ୨୦୧୮ ଡିସେମ୍ବର ୬ ତାରିଖରେ ପାଟଣା ଥାନା ଅଞ୍ଚଳରେ ଘଟି ଯାଇଥିବା ପତ୍ନୀ ହତ୍ୟା ମାମଲାର ମଙ୍ଗଳବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ସ୍ୱାମୀକୁ କେନ୍ଦୁଝର ଜିଲ୍ଲା ତଥା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଆଜୀବନ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଘରୋଇ କଳି ଏବଂ ଭଲ ରୋଷେଇ କରିନଥିବା କହି ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ଲୁହା ପାଇପରେ ପିଟିପିଟି ମାରିଦେବା ଏହି ଘଟଣା ସେତେବେଳେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା । କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ଖୁଞ୍ଚିବେଡା ଗ୍ରାମର ଶୁକୁରାମ ଲୋହାର ଏବଂ କୁନି ଲୋହାର ସ୍ୱାମୀ-ସ୍ତ୍ରୀ ଭାବେ ରହି ଆସୁଥିଲେ।
କୁନି ପୂର୍ବରୁ ଆଉ ଜଣକୁ ବିବାହ କରିଥିଲେ । ପରେ ସେ ଶୁକୁରାମ ଓରଫ ଶୁକ୍ରା ସହିତ ପତିପତ୍ନୀ ଭାବେ ରହି ଆସୁଥିଲେ । ତାଙ୍କର ଏକ ଛୋଟ ପିଲା ଥିଲା । ତେବେ ତିନିବର୍ଷ ପର୍ୟ୍ୟନ୍ତ ଶୁକ୍ରା ଏବଂ କୁନି ସ୍ୱାମୀ-ସ୍ତ୍ରୀ ହୋଇ ରହି ଆସୁଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ୨୦୧୮ ଡିସେମ୍ବର ୬ ତାରିଖରେ କୁନି ଭଲ ରାନ୍ଧି ନଥିବା କହି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶୁକ୍ରା ନିକଟରେ ଥିବା ଏକ ଲୁହା ପାଇପରେ କୁନିକୁ ପ୍ରବଳ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ବାବଦରେ ମହିଳାଙ୍କ ପ୍ରଥମ ସ୍ୱାମୀ ସଞ୍ଜୟ ଲୋହାର ପାଟଣା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ କେଶ ନମ୍ବର ୧୦୪/୨୦୧୮ ଦଫା ୩୦୨ ଅନୁସାରେ ଅଭିଯୁକ୍ତକୁ ଗିରଫ କରି ତତ୍କାଳୀନ ତଦନ୍ତ ଅଧିକାରୀ ପାଟଣା ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର ଚାଲିଥିବାବେଳେ ମଙ୍ଗଳବାର ଏହାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ୧୨ ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତିକରି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତକୁ ଆଜୀବନ ଜେଲ,୫୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । ଏଥିସହ ମୃତ ମହିଳାଙ୍କ ନାବାଳିକା ଝିଅକୁ ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଜିଲ୍ଲା ଦୌରାଜଜ କୋର୍ଟର ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି ।

 

Comments are closed.