ପଥକର ଫାଟକ ସମୁଖରେ ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟିବାରେ ଲାଗିଛି। ଗତକାଲି ରାତିରେ ଖିରେଇ ଟାଙ୍ଗିରି ଗ୍ରାମର ଜେମ୍ସ ନାଏକ ନାମକ ଜଣେ ବ୍ୟକ୍ତି ପଥ କର ଫାଟକ ନିକଟରେ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୋଗୁଁ ସ୍ଥାନୀୟ ଲୋକ ଆଜି ପଥ କର ଫାଟକ ନିକଟରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଦୁର୍ଘଟଣା ରୋକିବା ପାଇଁ ପଥ କର ଫାଟକ ନିକଟରେ ହମ୍ପସ, ଆଲୋକର ସୁବ୍ୟବସ୍ଥା, ବେଆଇନ ପାର୍କିଂ ଉଚ୍ଛେଦ ସହିତ ସୁରକ୍ଷା କର୍ମୀ ନିୟୋଜିତ କରିବା ଦାବିନେଇ ଜାତୀୟ ରାଜପଥକୁ ବନ୍ଦ କରିଥିଲେ।

ପରିସ୍ଥିତି ଉତ୍ତେଜନା ରୂପ ନେଉଥିବା ଯୋଗୁଁ ସ୍ଥାନୀୟ ତୁରୁମୁଙ୍ଗା ପୁଲିସ ସଦଳବଳେ ଆସି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ। ପରେ ପରେ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ, ଚମ୍ପୁଆ ଏସଡିପିଓ ରାମରାୟ ମୁର୍ମୁ, ଚମ୍ପୁଆ ଥାନାଧିକାରୀ ଗଗନ ବିହାରୀ ନାଏକ, ଝୁମ୍ପୁରା ଥାନାଧିକାରୀ ବରେନ୍ଦ୍ର କୁମାର ଶିଅଳ ଓ ଵାରିଆ ଥାନାଧିକାରୀ ବନ୍ଦନା ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଆଲୋଚନା କରିବା ସହ ଜାତୀୟ ରାଜପଥ କତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଅତିଶୀଘ୍ର ଏଠାରେ ହମ୍ପସ ନିର୍ମାଣ, ଆଲୋକର ସୁବ୍ୟବସ୍ଥା, ସୁରକ୍ଷା କର୍ମୀ ନିୟୋଜିତ ସାଙ୍ଗକୁ ବେଆଇନ ପାର୍କିଂ ହଟାଯିବିବାର ପ୍ରତିଶୃତି ପାଇଲା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରି ଯାଇଥିଲେ।

Comments are closed.