ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା,ଗାଡି ଲୁଟ ଘଟଣା ; କୁଖ୍ୟାତ ଅପରାଧୀଙ୍କ ଆତ୍ମସମର୍ପଣ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଅକ୍ଷୟ ସାହୁ ଗତ ମାର୍ଚ୍ଚ ୮ତାରିଖ ନିଜ ଦୋକାନର ଜିନିଷ ପାଇଁ ନିଜ ପିକପ ଗାଡ଼ି ଯୋଗେ ଯାଜପୁର ରୋଡ ଯାଉଥିବା ବେଳେ ଘଟଗାଁ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଲିଯୋଡି ନିକଟରୁ କିଛି ଦୁର୍ବୁତ୍ତ ପିକପ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଚାଳକକୁ ମାରପିଟ କରିବା ସମୟରେ ମାଲିକ ଅକ୍ଷୟ ସାହୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ମାରି ଗାଡିରେ ଥିବା ନଗଦ ୬୦ହଜାର ଟଙ୍କା, ମୋବାଇଲ, ପିକପ ଗାଡ଼ି ନେଇ ଫେରାର ହୋଇଯାଇଥିଲେ।
ଏନେଇ ଘଟଗାଁ ଥାନାରେ ୪୩/୨୦୨୨ ମୂଳେ ଏକ ଲୁଟ ମାମଲା ରୁଜୁ ହୋଇଥିଲା। କିଛି ଦିନ ପରେ ଜଣେ ଅପରାଧୀ ଭୁବେନଶ୍ଵର ଚନ୍ଦକା ଥାନାରେ ଗାଡିଚାବି କାଠି ସହ ଗିରଫ ହୋଇ ଥିବାବେଳେ ଅନ୍ୟ ୧୨ ଜଣ ଅପରାଧୀ ଫେରାର ରହି ନିଜର ଜାମିନ ମଞ୍ଜୁରୀ ନିମନ୍ତେ ହାଇକୋର୍ଟରେ ଆବେଦନ କରିବାରେ ବାରମ୍ବାର ବିଫଳ ହେବା ପରେ ମଙ୍ଗଳବାର ଦିନ କେନ୍ଦୁଝର ଏସ.ଡି.ଜି.ଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ୧୨ ଜଣଙ୍କ ମଧ୍ୟରେ ମୁଖ୍ୟ ଆସାମୀ ମାନସ କୁମାର ପାତାଳ ସିଂ (୩୪) ସହ ପୂର୍ଣ୍ଣଚନ୍ଦ୍ର ପ୍ରହରାଜ(୨୬), ହୃଦାନନ୍ଦ ପାତାଳ ସିଂ(୨୬),ସୁରେଶ ବେହେରା(୨୭),ଧର୍ମାନନ୍ଦ ସାହୁ(୨୮), ସୁଶୀଲ ମହାପାତ୍ର(୨୬),ଅଜୟ ପଟ୍ଟନାୟକ ଓରଫ ନାୟକ(୪୨),ଗଣେଶ ବେହେରା(୩୨),ରାଜୁ ଓଝା(୩୪),ବିଶ୍ଵଜିତ୍ ସତପଥୀ(୨୫),ପ୍ରଶାନ୍ତ ମହାରଣା(୨୮) ଓ ଅଭିମନ୍ୟୁ ସାହୁ(୨୮) ଆତ୍ମ ସମର୍ପଣ କରିଥିବା ବେଳେ ଏମାନେ ସମସ୍ତେ ଖୋର୍ଦ୍ଧା ଚନ୍ଦକା ଅଞ୍ଚଳର ବୋଲି ଜଣାପଡିଛି।

Comments are closed.