ଭୀମଭୋଇ ଜୟନ୍ତୀ ପାଇଁ ଯମୁନାପଶି ମହିମା ଆଶ୍ରମ ଉତ୍ସବମୁଖର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଯମୁନାପଶି ଗ୍ରାମ ପଞ୍ଚାୟତର ଯମୁନାପଶି ମଧୁବନ ମହିମାଶ୍ରମ ସାଧୁଭକ୍ତ ସମିତିର ନବମତମ ଭୀମଭୋଇ ଜୟନ୍ତୀ ଅବସରରେ ବିଶ୍ଵ ଶାନ୍ତି ନିମନ୍ତେ ଅଖଣ୍ଡ ବ୍ରହ୍ମଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବ୍ରହ୍ମଯଜ୍ଞ ମୁଖ୍ୟ ପୁରୋଧା ବାବା ଯଶୋବନ୍ତ ଦାସଙ୍କ ପୋରୋହିତରେ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା। ଯଜ୍ଞାହୁତିରେ ବାବା ସନାତନ ଦାସ, କୀର୍ତ୍ତନ ଦାସ, ଭକ୍ତ ପ୍ରବର ଚିନ୍ମୟ ଦାସ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଅବସରରେ ଏକ ଧର୍ମସଭା କରାଯାଇ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ଚାରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ , ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ନେଲୁଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମଣି ସିଂ, ପାଟଣା ବ୍ଲକ କଳା ପରିଷଦ ଉପସଭାପତି ମଧୁସୂଦନ ବାରିକ, ଯମୁନାପଶି ସରପଞ୍ଚ ଶଶିଭୂଷଣ ନାଏକ, ଭକ୍ତ ରତ୍ନାକର ନାଏକ, ଭକ୍ତ ଖଗେଶ୍ବର ନାଏକ, ଭକ୍ତ ମାନରଞ୍ଜନ ପାତ୍ର, ଖଞ୍ଜଣି ଭଜନ କଳା ପରିଷଦର ଜିଲ୍ଲା ସଭାପତି ପବିତ୍ର ମୋହନ ସିଂ, ଭକ୍ତ ଅଧ୍ୟାପକ ଦେବେନ୍ଦ୍ର କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ହେବାପରେ ମହାସମାରୋହରେ ଧର୍ମସଭା ଉତ୍ସବ ଅନୁଷ୍ଠିତ ହୋଇଥିଲା।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହିମା ଦଳ ଅଂଶଗ୍ରହଣ କରି ମହିମା ଭଜନ ପରିବେଷଣ କରିଥିଲେ। ଶତାୟୁ ଭକ୍ତ ଫକୀର ଚରଣ ନାୟକଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଆଶ୍ରମ ସମ୍ପାଦକ ରବୀନ୍ଦ୍ର ନାୟକଙ୍କ ସମେତ ଗୋଡ଼ିପୋଖରୀ, ଜମୁନାପଶି ଗ୍ରାମବାସୀଙ୍କ ସହଯୋଗରେ ଆଶ୍ରମର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା। ହଜାର ହଜାର ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏହି ଅବସରରେ ମହିମା ଆଶ୍ରମ ପତ୍ରିକାକୁ ବିଧାୟକ ଶ୍ରୀ ନାଏକ ଲୋକାର୍ପିତ କରିଥିଲେ।

Comments are closed.