ବେକାର ଯୁବକ ଯୁବତୀଙ୍କ ପାଇଁ ପରାମର୍ଶ ଶିବିର

ପାଟଣା: କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଏବଂ ଓରମାସ ପକ୍ଷରୁ ପାଟଣା ବ୍ଲକ ପରିସରରେ ଆଜି ୧୮ ରୁ ୩୫ ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କ ପାଇଁ ତାଲିମ ଓ ନିଯୁକ୍ତି ଭିତିକ ପରାମର୍ଶ ଶିବିର ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଂଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଶିବିରକୁ ଉଦଘାଟନ କରିବା ସହ ଯୋଗ୍ୟତାକୁ ଦକ୍ଷତାରେ ପରିଣତ କରି ବେକାର ଯୁବକ ଯୁବତୀ ମାନେ ଆଗକୁ ବଢିବାକୁ କଠିନ ପରିଶ୍ରମ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଖିରେଇଟାଙ୍ଗିରୀ ସରପଂଚ ବନଜ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ହିସାବ ରକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ, ଦକ୍ଷତା ବିକାଶ ବିଭାଗର ଜିଲ୍ଲା ସଂଯୋଜକ ତପନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ୱାଇପି ଦିବ୍ୟଦର୍ଶିନୀ ବେହେରା, ବିଏଲସି ରାଜୁ ମହାନ୍ତ ପ୍ରମୁଖ ଶିବିରକୁ ଆଗତ ୧୦୩ ଜଣ ବେକାର ଯୁବକ ଯୁବତୀଙ୍କ ମଧ୍ୟରୁ ତାଲିମ ଓ ନିଯୁକ୍ତି ଦାତା ସଂସ୍ଥା ଅକଫିଟ, ୱାଜିରସ୍କିଲ, ଆବେୱେଷ୍ଟ ଏବଂ ନିଆମ ସଂସ୍ଥା ଦ୍ୱାରା ମୋଟ ୯୮ ଜଣ ବେକାର ଯୁବକ ଯୁବତୀ ଙ୍କ ଆବେଦନ ଫର୍ମ ପ୍ରକ୍ରିୟା କାର୍ଯ୍ୟ ସମ୍ପାଦନ କରିଥିଲେ।

Comments are closed.