ନିର୍ଭରଶୀଳ ପ୍ରମାଣପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଗରିବ ସେବା ସଦନର ଦାବିପତ୍ର

ପାଟଣା: ଜନସାଧାରଣଙ୍କର ସମସ୍ୟାର ସମାଧାନ କରିବା ସରକାର ଓ ପ୍ରଶାସନିକ ଅଧିକାରୀମାନଙ୍କର ପ୍ରାଥମିକ କର୍ତ୍ତବ୍ୟ। ଏହି ଦାୟିତ୍ବରୁ ବିରତ ରହିବାର ଉଦାହରଣ ଆନନ୍ଦପୁର ଉପଖଣ୍ଡର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଲମ୍ବିଥିବାର ନମୁନା ଦେଖିବାକୁ ମିଳୁଛି। ଉଦାହରଣ ସ୍ୱରୂପ ଘଷିପୁରା ବ୍ଲକ ଅତାସାହି ଗ୍ରାମର ମନୋଜ ପଲେଇ ଏବଂ ଆନନ୍ଦପୁର ପୌରପାଳିକା ଶୈଲଙ୍ଗ ଗ୍ରାମର ସିଲି ପୁହାଣ ଦୀର୍ଘ ଏକବର୍ଷ ଧରି ଏକ ନିର୍ଭରଶୀଳ ପ୍ରମାଣପତ୍ର ପାଇଁ ତହସିଲ କାର୍ଯ୍ୟାଳୟ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି। ବାରମ୍ବାର ଫେରାଦ ହେବା ପରେ କୌଣସି ସୁଫଳ ପାଇବା ପରିବର୍ତ୍ତେ ବିଭ୍ରାନ୍ତିଜନକ ଉତ୍ତରର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଏହି ଅଧିକାରୀମାନେ ଏଭଳି ପ୍ରମାଣପତ୍ର ଓଡ଼ିଶା ସରକାର ବନ୍ଦ କରିଦେଇଛନ୍ତି କହୁଥିବା ବେଳେ ଆଉକେବେ ଆମେ ଏଭଳି ପ୍ରମାଣପତ୍ର ଈସୁ କରିନାହୁଁ ବୋଲି କହୁଛନ୍ତି। ପୁନଶ୍ଚ ଏହି ପ୍ରମାଣପତ୍ର ପାଇଁ ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେବାକୁ କହୁଛନ୍ତିତ ସରକାରଙ୍କୁ ଲେଖ ବୋଲି କହି ଚାଲିଛନ୍ତି। ପ୍ରକୃତପକ୍ଷେ ଉପରୋକ୍ତ ଦରଖାସ୍ତକରି ଦୁଇଜଣ ସିଆଇଏସଏଫରେ ଦିଲ୍ଲୀ ଏବଂ ତାମିଲନାଡୁରେ ଚାକିରି କରନ୍ତି। ନିର୍ଭରଶୀଳ ପ୍ରମାଣପତ୍ର ମାଧ୍ୟମରେ ନିଜର ଗରିବ ପିତାମାତାଙ୍କୁ ନିର୍ଭରଶୀଳ ବ୍ୟକ୍ତିଭାବେ ଗ୍ରହଣକରୀ ଉପଯୁକ୍ତ ଅର୍ଥିକସେବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସମର୍ଥ ହୋଇଥାନ୍ତି।

ପ୍ରକାଶ ଥାଉକି ବିଭିନ୍ନ ରାଜ୍ୟରୁ ଏହି ବିଭାଗରେ ନିୟୋଜିତ ଯୁବକ ଯୁବତୀ ଉପରୋକ୍ତ ପ୍ରମାଣପତ୍ର ଯୋଗାଇ ଦେଇ କେନ୍ଦ୍ର ସରକାରଙ୍କ ପାଖରୁ ସମସ୍ତ ସୁବିଧାସୁଯୋଗ ପାଇପାରୁଛନ୍ତି। ଅନ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ପ୍ରମାଣପତ୍ରର ନକଲକୁ ଆଧାର କରି ଜିଲ୍ଲାପାଳ ମହୋଦୟ ଏହି ପ୍ରମାଣ ପତ୍ର ପ୍ରଦାନ କରନ୍ତୁ ନଚେତ ଏଭଳି ଏକ ଗୁରୁତ୍ୱପୂର୍ଣ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖନ୍ତୁ। କେନ୍ଦୁଝର ଜିଲ୍ଲାର ସିଆଇଏସଏଫରେ ନିଯୁକ୍ତ ଗରିବ ଆଦିବାସୀ ଯୁବକ ଯୁବତୀ ଭବିଷ୍ୟତରେ ଏଭଳି ଅସୁବିଧାର ସମ୍ମୁଖୀନ ନହେବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଆବଶ୍ୟକତା ସହ ଉପଖଣ୍ଡସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ସମ୍ୟକ ଜ୍ଞାନ ପ୍ରଦାନ ନିମନ୍ତେ ଗରିବ ସେବାସଦନର ସଭାପତି ଡ଼.ଶମ୍ଭୁନାଥ ରାଉତ ନିବେଦନ କରିଛନ୍ତି।

Comments are closed.