ପାଟଣା ବିଧାୟକ ଜଗନ୍ନାଥ ନାଏକ ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ପାଟଣା: କେନ୍ଦୁଝର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଯୋଜନା ସମନ୍ବୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ସ୍ବତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନା ବିଜ୍ଞପ୍ତି ପ୍ରକାଶ କରି କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ଯୋଜନା ବୋର୍ଡ ଗଠନ ହେବା ପରେ ଜିଲ୍ଲାର ଦ୍ବିତୀୟ ବିଧାୟକ ଭାବେ ଶ୍ରୀ ନାଏକ ଏହି ପଦରେ ଆସୀନ ହେବାକୁ ଯାଉଛନ୍ତି।

ପ୍ରଥମ ଥର ପାଇଁ ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକଙ୍କୁ ଏହି ପଦବୀ ମିଳିଥିଲା। ନୂତନ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ତାଙ୍କୁ ଏହି ପଦବୀ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସେ ପଦବୀର ମର୍ଯ୍ୟାଦା ବୃଦ୍ଧି କରିବା ଓ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ନିରପେକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Comments are closed.