ବିପୁଳ ପରିମାଣର ମଦ ଜବତ, ୭ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବାହିନୀ ମିଳିତ ଭାବେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରିବା ସହ ଚୋରା ମହୁଲି ମଦ ଜବତ କରିଛନ୍ତି। ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଚଢ଼ାଉ ସମୟରେ ମିରିଗିଖୋଜିର ବିଶ୍ବନାଥ ମୁଣ୍ଡାଙ୍କ ଠାରୁ ୮ ଲିଟର ମହୁଲି ମଦ, କୁଦାବେଡା ମୁକେଶ ମାଝୀଙ୍କ ଠାରୁ ୧୦ ଲିଟର ଓ ମୀନା ମାଝୀଙ୍କ ଠାରୁ ୨୫ ଲିଟର, ଗୋପୀନାଥପୁରର ନଙ୍ଗି ମାଝୀଙ୍କ ଠାରୁ ୧୫ ଲିଟର ଓ ରଘୁନାଥ ମାଝୀଙ୍କ ଠାରୁ ୨୫ ଲିଟର, ବାଉଁଶୁଳିର ସରୋଜ ମୁଣ୍ଡାଙ୍କ ଠାରୁ ୮ ଲିଟର , ଖିରେଇଟାଙ୍ଗିରି ସବିତା ନାଏକଙ୍କ ଠାରୁ ୧୦ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ଗୋପୀନାଥପୁର ଓ କୁଦାଡେଡାର ମଦଭାଟିରୁ ୩୦୦ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି।

ଏହା ସହ ଅବକାରୀ ବିଭାଗ ଚୋରା ମଦ ଭାଟି ଭାଙ୍ଗି ମଦରନ୍ଧା ସାଜ ସରଞ୍ଜାମ ଜବତ କରିଛି। ବେଆଇନ ମଦ କାରବାର ଅଭିଯୋଗରେ ସମସ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ବେଣୁଧର ସାମଲ , ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସହ ଘଟଗାଁ ଅବକାରୀ ବିଭାଗ ଓ ଅବକାରୀ ଭ୍ରାମ୍ୟମାଣ ବାହିନୀ ଚଢ଼ାଉରେ ସାମିଲ ଥିଲେ।

Comments are closed.