ବେଆଇନ ଜାଳେଣି ଗ୍ୟାସ୍ ଗୋଦାମ ଉପରେ ଚଢ଼ାଉ, ୧୬ ସିଲିଣ୍ଡର ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ଲୋହାରଙ୍କ ଘରେ ଚାଲିଥିଲା ବେଆଇନ ଭାବେ ଜାଳେଣି ଗ୍ୟାସ ଗୋଦାମ। ଏହି ଅଭିଯୋଗରେ ଘରେ ଯୋଗାଣ ବିଭାଗର ୫ ଜଣିଆ ଦଳ ଚଢ଼ାଉ କରି ଘର ଭିତରୁ ୧୬ଟି ଖାଲି ଜାଳେଣି ସିଲିଣ୍ଡର ଟାଙ୍କି ଜବତ କରିଛି। ଗ୍ରାମର ରବୀନ୍ଦ୍ର ଲୋହାର ପଡ଼ୋଶୀ ଜିଲା ମୟୁରଭଞ୍ଜ କରଞ୍ଜିଆର ଗ୍ୟାସ ଏଜେନ୍ସି ଠାରୁ ସିଲିଣ୍ଡର ଆଣି ଘର ଭିତରେ ବେଆଇନ ଭାବରେ ରଖି ଗ୍ରାହକଙ୍କୁ ଏହା ଯୋଗାଇ ଆସୁଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇବା ପରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, କେନ୍ଦୁଝର ସଦର ଅତିରିକ୍ତ ଯୋଗାଣ ଅଧିକାରୀ ବୀରକିଶୋର ମାରାଣ୍ଡି ,ସଦର ଯୋଗାଣ ନିରୀକ୍ଷକ ଅମ୍ବିକା ପ୍ରସାଦ ରଥ ଓ ପାଟଣା ଯୋଗାଣ ନିରିକ୍ଷିକା ବିଦ୍ୟୁତ ଲତା ନାୟକ ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ପାଟଣାରେ ଇଣ୍ଡେନର ସୀକୃତି ପ୍ରାପ୍ତ ଗ୍ୟାସ ଏଜେନ୍ସି ଥିବା ବେଳେ ସଅଁରାପଶିର ଶ୍ରୀ ଲୋହାର ଏଚ୍.ପି ଗ୍ୟାସ ବେପାର ବେଆଇନ ଭାବେ କାରବାର କରୁଥିଲେ ବୋଲି ଯୋଗାଣ ବିଭାଗ ସୂଚନା ଦେଇଛି।

Comments are closed.