ଅଦିନିଆ ବର୍ଷାରେ ଧାନ ଫସଲ କ୍ଷତିଗ୍ରସ୍ତ, ଫୁଲକୋବି ଚାଷୀ ହତାଶ

ପାଟଣା: ଗତ ୪ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ଚାଷଜମିରେ ପାଣି ଜମା ହୋଇ ରହିବାରୁ ବିଲରେ ଧାନ ଗଛ ପଚି ନଷ୍ଟ ହୋଇଛି। ପାଚିଲା ଧାନ ବହୁ ପରିମାଣରେ ବିଲରେ ଝଡି ଯାଇଥିବାରୁ ଚାଷୀମାନେ ପାଣିରୁ ଛାଣି ଧାନ ଗଛ ଅଧାରୁ କାଟି ନେଉଥିବା ଦେଖାଯାଇଛି। ପାଟଣା, ସାହାରପଡା ଓ ଘଟଗାଁ ବ୍ଲକ ଅଂଚଳର ଅଧିକାଂଶ ଖାଲୁଆ ଜମିରେ ସମାନ ଅବସ୍ଥା ସୃଷ୍ଟି ହୋଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷଋଣ କେମିତି ଶୁଝିବେ ସେ ଚିନ୍ତାରେ ପଡିଯାଇଛନ୍ତି। ଡେଣୁଆ ଗ୍ରାମର ଦୂର୍ଯ୍ୟୋଧନ ସାହୁ, ଦମୟନ୍ତୀ ସାହୁ, ମାନସ ରଂଜନ ମହାନ୍ତ, ଦୀପକ କୁମାର ମହାନ୍ତ, ତୁଷାରକାନ୍ତ ମହାନ୍ତ, ସତ୍ୟବାନ ମହାନ୍ତ, କେଶବ ମହାନ୍ତ, ସହଦେବ ମହାନ୍ତ, ହୈମବତୀ ମହାନ୍ତ, ନିର୍ମଳା ମହାନ୍ତ, ସାଉଁର ମହାନ୍ତ, ଭରତ ମହାନ୍ତ, କନକଲତା ମହାନ୍ତ, ଦମୟନ୍ତୀ ମହାନ୍ତ (ଖ), ସୀମା ମହାନ୍ତ, ଅମିନ ମହାନ୍ତ, ଶରତ ମୁଣ୍ଡା, ଟୁନା ମାଟିଆ, ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ନେତ୍ରାନନ୍ଦ ମହାନ୍ତ ପ୍ରମୁଖଙ୍କ ଚାଷଜମିରେ ପାଣି ପଶି ଧାନଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ଅନ୍ୟ ପକ୍ଷରେ ବର୍ଷା କାରଣରୁ ଫୁଲକୋବି ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ୩ ଦିନ ତଳେ କେଜି ପ୍ରତି ଶହେ ଟଙ୍କାରେ ବିକ୍ରି ହେଉଥିବା କୋବି ଦୁଇ ଦିନ ହେଲା କେଜି ୭୦ ରୁ ୮୦ ଟଙ୍କାକୁ ଖସି ଆସିଛି। ମକା ଚାଷ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସେମାନେ ମତ ରଖିଛନ୍ତି।

Comments are closed.